20 October 2017

ପୂଜ୍ୟ ଗୁରୁଜୀଙ୍କ ଗୁରୁ ବାର୍ତା :ସଦ୍ ଗୁରୁଜୀ ଅଛନ୍ତି,ଭୟ କାହାକୁ ?


                           ଦୈନନ୍ଦିନ ଜୀବନରେ ଉପନୀତ ହେଉଥିବା ପ୍ରତିକୂଳ ପରିସ୍ଥିତିର ମୁକାବିଲା ତଥା ସାମ୍ନା କରିବା ପାଇଁ ମନୁଷ୍ୟ ଭିତରେ ଅସୀମ ସାମର୍ଥ୍ୟ ରହିଛି  । ସେ ଏପରି ପ୍ରାକୃତିକ ଉପାଦାନରେ ଗଢା ହୋଇଛି ଯେ ଇଚ୍ଛାକୃତ ଭାବେ ହେଉ କିମ୍ବା ପରିସ୍ଥିତି ଚକ୍ରରେ ବାଧ୍ୟ ହୋଇ ହେଉ ଯେ କୌଣସି  ପରିସ୍ଥିତିର ସମ୍ମୁଖୀନ ହୋଇପାରିବା ପାଇଁ ତା ଭିତରେ ଅନୁପମ ସୃଜନଶୀଳତା ଏବଂ ସାମର୍ଥ୍ୟ ରହିଛି । ପ୍ରସ୍ତର ଯୁଗରୁ ଆରମ୍ଭ କରି ଏହା ମଧ୍ୟରେ ହଜାର ହଜାର ବର୍ଷ ବିତି ଯାଇଛି,ଆମର ପୂର୍ବପୁରୁଷମାନେ କେତେ କେତେ ପ୍ରାକୃତିକ ବିପଦ ବନ୍ୟା,ଭୂମିକମ୍ପ,ଗ୍ରହମଣ୍ଡଳୀର ପ୍ରଭାବ,ବନାଗ୍ନି,ରୋଗ ବ୍ୟାଧିର ମୁକାବିଲା କରି ଆସିଛନ୍ତି । ସେ ସମୟରେ ସେମାନଙ୍କର ସୀମିତ ଜ୍ଞାନ ସତ୍ୱେ ସେମାନେ ଏସବୁ ପ୍ରତିକୂଳ ପରିସ୍ଥିତିକୁ ସାହାସର ସହ ସାମ୍ନା କରୁଛନ୍ତି । 
                            ସେତେବେଳେ ବିଜ୍ଞାନର ଏତେ ବିକାଶ ହୋଇନଥିଲା,ଫଳରେ ସେମାନଙ୍କର ଜୀବନ ସବୁବେଳେ ବିପଦ ସଂକୁଳ ରହୁଥିଲା । ଭୋକ(ଅନାହାର)ରେ ମରିବା ଏକ ନିୟମିତ ଘଟଣା ଥିଲା । ଭୟଙ୍କର ପଶୁ ଓ ଜନ୍ତୁମାନଙ୍କର ଭୟଥିଲା । ଫଳରେ ଲୋକମାନେ ଗୋଟେ ସ୍ଥାନରେ ନିର୍ଭୟରେ ରହି ନପାରି ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନ ଘୁରି ବୁଲୁଥିଲେ । ଏପରି ପରିସ୍ଥିତିରେ ଦିନଟିଏ ବଂଚିବା ଭଗବାନଙ୍କ ଆଶୀର୍ବାଦ ସଦୃଶ ମନେ  ହେଉଥିଲା  । ଆହୁରି ବିଡମ୍ବନା ର ବିଷୟ ହେଉଛି ଆଜି ଯେମିତି ଆମେ ଭଗବାନଙ୍କୁ ଅନୁଭବ କରୁଛେ, ସେତେବେଳେ ସେମାନଙ୍କ ଭିତରେ ସେହି ଜ୍ଞାନ ବା ଧାରଣା ନଥିଲା । ପରବର୍ତୀ ପିଢିର ମନୁଷ୍ୟ ବୁଦ୍ଧି ପ୍ରୟୋଗ କରି କାମ କଲା,ସେତେବେଳେ ନଥିଲା । ଯେତେବେଳେ ଯାହା ମନକୁ ଆସୁଥିଲା ସେମାନେ କରି ଯାଉଥିଲେ ।
                            ଏହା ସତ୍ୱେ ମନୁଷ୍ୟ ଜାତି ତିଷ୍ଠି ରହିଲା, ଯଦିଓ ଡାଇନାସୋର ଭଳି ପ୍ରାଣୀ ମଧ୍ୟ ଅବଲୁପ୍ତ ହୋଇଗଲା । ପ୍ରସ୍ତର ଯୁଗରୁ ଆରମ୍ଭ କରି ଆଜିର ବିଜ୍ଞାନ ଯୁଗ ପର୍ଯ୍ୟନ୍ତ ମନୁଷ୍ୟ ଜାତି ଏକ ସୁଦୀର୍ଘ ବିବର୍ତନ ପ୍ରକ୍ରିୟା ଦେଇ ଗତି କରି ଆସିଛି । ଏକ ଅଜ୍ଞାତ ପଥରେ ତାର ଏହି ସ୍ବଳ୍ପବାସ ଯାତ୍ରା କାଳରେ ସେ ନୂଆ ନୂଆ କୌଶଳ ଏବଂ ଦିଗ ଉନ୍ମୋଚନ କରିଛି । ମହାକାଶକୁ ଯାତ୍ରା,ଜେନିଟିକ୍ ଇଞିନିୟରିଂ,ସାମୁଦ୍ରିକ ଅଭିଯାନ,ଇଣ୍ଟରନେଟରେ ଯୋଗାଯୋଗ ବ୍ୟବସ୍ଥା, ଆଣବିକ ଶକ୍ତି, କିଛି ଜୀବଙ୍କର କ୍ଲୋନିଂ ଆଦି ଏସବୁ ଅଗ୍ରଗତିର ସୂଚନା । ସମ୍ପ୍ରତି ପୃଥିବୀର ପାଣିପାଗରେ ଅସାମଂଜସ୍ୟ ବା ଅସମତୁଲତାକୁ ଲକ୍ଷ୍ୟ କରାଯାଉଛି । ଏ ନେଇ ଗଣ ମାଧ୍ୟମ ଓ ଇଣ୍ଟରନେଟରେ ତଥ୍ୟ ପ୍ରକାଶ ପାଉଛି । ଏହାର ମୁକାବିଲା କରିବା ପାଇଁ ଆମର ବିଜ୍ଞାନ ଓ ବୈଷୟିକଜ୍ଞାନ  କୌଶଳ ପ୍ରସ୍ତୁତ ହେଉଛି । ତେବେ ପ୍ରଥମ ଥର ପୃଥିବୀ ଯେ ଏପରି ପରିବେଶର ସମ୍ମୁଖୀନ ହେଇଛି, ତାହା ନୁହେଁ; ଗତ ୪ଶହ କୋଟି ବର୍ଷ ଭିତରେ ପୃଥିବୀର ପାଣିପାଗ ଅନେକ ଥର ପରିବର୍ତନ ହୋଇଛି । ଯେମିତି କି ବରଫ ଯୁଗ ବା ଗ୍ଲାସିୟର ଯୁଗ କଥା ଆମେ ଜାଣୁ । ସେହିପରି ତାପମାନ ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ଏକ ନୂଆ କଥା ନୁହେଁ । ଯଦି ମନୁଷ୍ୟ ଜାତି ବିଜ୍ଞାନ ଓ ବୈଷୟିକ କୌଶଳର ବିନା କୌଣସି ଜ୍ଞାନ ସତ୍ୱେ ଏବଂ  ବୁଦ୍ଧି ପ୍ରୟୋଗ କରି ସେତେବେଳେ ତିଷ୍ଠି ରହିପାରିଲା, ତାହାଲେ ଆଜି ଏତେ ବୈଜ୍ଞାନିକ ସାଧନ ଏବଂ ସମ୍ବଳ ଥିବା ବେଳେ ମାନବ ଜାତି ଧ୍ୱଂସ ପାଇଯିବ ବୋଲି ଭାବିବା କାହିଁକି? ଆମର ପୁରାତନ ଭାରତ ସଭ୍ୟତାରେ ଜ୍ୟୋତିର୍ବିଦ୍ୟାରେ ଅନେକ ପାରଦର୍ଶୀ ସାଧକ ଥିଲେ । ସେମାନେ ଭବିଷ୍ୟବାଣୀ କରୁଥିଲେ । ବୈଦିକ ଯୁଗର ଋଷିମାନେ ଖଗୋଳ ବିଦ୍ୟାରେ ପାରଙ୍ଗମ ଥିଲେ । ଭାରତୀୟ ଜ୍ୟୋତି ବିଜ୍ଞାନଠାରୁ ଅଧିକ ଉନ୍ନତ ଏବଂ ବିଜ୍ଞାନସମ୍ମତ ମନେ କରାଯାଏ । ବୈଦିକ ଯୁଗର ସାଧକମାନେ ୧୫ଅଙ୍କ ବିଶିଷ୍ଟ କାଳର ନିରୂପଣ କରିଥିଲେ । ସେମାନଙ୍କ ଅନୁଯାୟୀ କଳ୍ପ,ମନ୍ୱନ୍ତର,ମହାଯୁଗ ଏବଂ ଯୁଗ ଇତ୍ୟାଦି । ହିନ୍ଦୁମାନଙ୍କର ସର୍ବପ୍ରାଚୀନ ଗ୍ରନ୍ଥ “ସୂର୍ଯ୍ୟ ସିଦ୍ଧାନ୍ତ” ଅନୁସାରେ କଳିଯୁଗ ଆରମ୍ଭ ହେଲା ଖ୍ରୀଷ୍ଟପୂର୍ବ ୩୧୦୨ ମସିହା ଫେବୃୟାରୀ ୧୪ ତାରିଖରେ । କଳିଯୁଗର ମୋଟ ଅବଧି ହେଉଛି ୪ ଲକ୍ଷ ୩୨ ହଜାର ବର୍ଷ । ଏବେ ଅର୍ଥାତ ୨୦୧୩ ବର୍ଷ ବେଳକୁ ଏହାର ୫୧୧୫ବର୍ଷ ଅତିକ୍ରାନ୍ତ ହୋଇଛି । 
          
           ଏ ପରିସ୍ଥିତିରେ ଏକ ନିର୍ଦ୍ଧିଷ୍ଟ ଦିନ ପୃଥିବୀ ଧ୍ୱଂସ ପାଇଯିବ ବୋଲି ଭବିଷ୍ୟବାଣୀ ଆଧାରିତ ଖବରମାନ ଆଶ୍ଚର୍ଯ୍ୟପ୍ରଦ । ମାୟାନ ସମ୍ପ୍ରଦାୟ ନାମରେ କିଛି ବ୍ୟକ୍ତି ଏବଂ ଗୋଷ୍ଠୀ ନିଜକୁ ଭଗବାନଙ୍କ ଦୂତ ରୁପେ ପରିଚୟ ଦେଇ ଶହ ଶହ ବର୍ଷ ତଳେ ଏପରି ଭବିଷ୍ୟବାଣୀ କରିଛନ୍ତି । ସେମାନଙ୍କ ଅଜ୍ଞାତ ପାଇଁ ସେମାନଙ୍କୁ କ୍ଷମା ଦିଆ ଯାଇପାରିବ କିନ୍ତୁ ଏହି ଯୁଗର ମନୁଷ୍ୟ ଯେଉଁମାନେ କି ବିଜ୍ଞାନ ବଳରେ ଏତେ ଉନ୍ନତ ସେମାନେ ଏପରି ଭ୍ରମର ଶିକାର ହେବା ଯଥାର୍ଥ କି? ପୁଣି ଏଥିପାଇଁ ଜ୍ୟୋତିଷ ବା ମନ୍ଦିରକୁ ଯାଇ ପ୍ରଳୟରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିବା କି ପ୍ରକାର ବିଚାର? ପୁଣି ଏ ପ୍ରକାର ଭୟଙ୍କର ପରିସ୍ଥିତିରୁ ସେ ଏକୁଟିଆ ରକ୍ଷା ପାଇଯିବ ବୋଲି କିପରି ଭାବୁଛି? ସବୁଠାରୁ କୌତୁହଳପ୍ରଦ ଘଟଣା ହେଉଛି ଏହି ବ୍ୟକ୍ତିମାନେ ବିଜ୍ଞାନର ଏପରି ଆଗତ ଜୟ ଯାତ୍ରା ସମ୍ପର୍କରେ କେବେ କିଛି କହି ନାହାଁନ୍ତି କି ଆଲୋଚନା କରି ନାହାଁନ୍ତି । ଏହି ସମୟ ଏବଂ ଏହି ଅବଧିରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠରେ ପଦାର୍ପଣ କରିବ ବୋଲି କେହି କେବେ ଭବିଷ୍ୟବାଣୀ କରିଥିଲେ କି? ଦଶ ବର୍ଷ ବୟସରୁ ମୁଁ ଏପରି ଆଗତ ଭବିଷ୍ୟତବାଣୀର କାହାଣୀମାନ ଶୁଣି ଆସୁଛି । ଲୋକେ ଏଥି ପାଇଁ କିପରି ଭୟଭୀତ ହୋଇ ଜ୍ୟୋତିର୍ବିଦ୍ଙ୍କ ଠାରୁ ମନ୍ଦିର ଯାଏଁ ଦଉଡନ୍ତି, ଯଜ୍ଞ ଆଦି କରନ୍ତି,ଏସବୁ ଦେଖିଛି । କିଛି ବ୍ୟକ୍ତି ଦିବ୍ୟାତ୍ମାମାନଙ୍କର ବାଣୀରେ ବିଶ୍ୱାସ କରିବା ପରିବର୍ତେ ଏପରି କିଛି ଲୋକଙ୍କ ଭବିଷ୍ୟବାଣୀକୁ ସତ ବୋଲି ଧରିନିଅନ୍ତି । ଫଳରେ ସମସ୍ୟାର ସମାଧାନ କରିବା ବଦଳରେ ଏହା ଅଯଥା ଆତଙ୍କ ଏବଂ ଭୟର କାରଣ ସୃଷ୍ଟି କରେ । ଭଗବାନ କିମ୍ବା ସଦ୍ ଗୁରୁଙ୍କର ଜଣେ ପ୍ରକୃତ ଭକ୍ତ ଏପରି ଭବିଷ୍ୟବାଣୀରୁ ଦୂରରେ ରହିବା ଉଚିତ୍ । ସର୍ବୋପରି ଇଶ୍ୱର ଏବଂ ସଦ୍ ଗୁରୁ ଆମର ସାମାନ୍ୟ ରକ୍ଷା ପାଇଁ ସବୁପ୍ରକାର ଯତ୍ନ ନେବାକୁ ରହିଛନ୍ତି । କେତେବେଳେ ବି ଆମ ମନରେ ଏପରି ଦ୍ୱନ୍ଦ ଉପୁଜିଲେ ଆମେ ପ୍ରକୃତ ସତ୍ୟ ଜଣାଇବା ପାଇଁ ଆମର ସଦ୍ ଗୁରୁ ରୂପୀ ଈଶ୍ୱରଙ୍କୁ ପ୍ରାର୍ଥନା କରି ପାରିବା ।
                 ଓଁ ଶ୍ରୀ ଶ୍ରୀ ଅନନ୍ତକୋଟି ବ୍ରହ୍ମାଣ୍ଡନାୟକ ରାଜାଧି ରାଜ ଯୋଗିରାଜ ପରଂବ୍ରହ୍ମ ।
                          ଶ୍ରୀ ଶ୍ରୀ ସଚ୍ଚିଦ୍ଦାନନ୍ଦ ସଦ୍ ଗୁରୁ ସାଇନାଥ ମହାରାଜ କୀ ଜୟ” । । 
                          କରୁଣାର ସାଗର ଶ୍ରୀ ସାଇନାଥ ଆପଣମାନଙ୍କୁ  କୃପା କରନ୍ତୁ  ।
                             ଆପଣମାନଙ୍କ ଉପରେ  ସଦା ଆଶିର୍ବାଦ ରଖିଥା'ନ୍ତୁ  । । 
                                   ଜୟ ଶ୍ରୀ ସାଇନାଥ ମହାରାଜ କୀ ଜୟ । ।

No comments:

Post a Comment