10 November 2017

ହେ ଗୁରୁ ତୁମେ ମଙ୍ଗଳମୟ: ଶ୍ରୀ ଗୁରୁ ଭାଗବତ



ଶ୍ରୀ ଗୁରୁଦେବ ଗୁରୁଦେବ,ପ୍ରାଣ ମୋ ଖୋଜେ ପାଦତବ ।
ତୁମ ଶ୍ରୀ ପୟର ଧ୍ୟାନରେ,ଏକାଗ୍ରତା ଆସେ ମନରେ । ।(୧)
 ଅନ୍ୟଥା ମାୟାର ଯେ ଖେଳ,ଘେରଇ ଜଗତ ଜଞାଳ ।
 ସେ ମାୟା ଖେଳେ ହାରିହାର,ଡାକେ ମୋ ଜୀବ ରଖ ହରି । ।(୨) 
   
ରୋଗ ଦୁଶ୍ଚିନ୍ତା ଭବତାପ,  ଶୋକ ଦାରିଦ୍ର୍ୟ ଅନୁତାପ ।                            
ଏକକୁ ଏକ ମହାବଳୀ,କରନ୍ତି ଜୀବେ ଦଳାଦଳି । ।(୩)      

କ୍ଷଣକୁ ମନ ସମୁଦ୍ରରେ, ଉଠେ ତରଙ୍ଗ ଆକ୍ରୋଶରେ ।
ପ୍ରତ୍ୟେକ ଚିନ୍ତା ଯେ ତରଙ୍ଗ,ହୃଦୟ ନ ହୁଅଇ ଶାନ୍ତ । ।(୪)
ପଣ୍ଡିତ ପାଶେ ଧାଇଁ ଧାଇଁ,ଦାନ ଦକ୍ଷିଣା ଦେଇ ଦେଇ ।
ମନ୍ଦିରେ ବ୍ୟାକୁଳ କ୍ରନ୍ଦନ, କରନ୍ତି ଦୁଃଖୀ ଜୀବଗଣ । ।(୫)              

ଗଙ୍ଗାରେ ସ୍ନାନ ବାର ବ୍ରତ,ପୂଜା ଉପାସ ବିଧିମତ ।
ଜୀବନ ସାରା କରୁଥାନ୍ତି,ତଥାପି ଦୁଃଖ ଭୋଗୁଥାନ୍ତି । ।(୬)   
ହେ ଗୁରୁଦେବ ଭକ୍ତପ୍ରାଣ,ଭକତ ପାଇଁ ଏ ଜୀବନ ।
ହେଲେ ଭକ୍ତର ସନ୍ଧିକାଳ,ଆରମ୍ଭ ତୁମ କୃପାଖେଳ । ।  (୭)    

ଭକ୍ତ ଯେବେ ହୁଏ ନିରାଶ, ସେବେଳେ ତୁମେ କାହୁଁ ଆସ ।
ଅନ୍ତରେ ସିଂଚି ଭାବ ଜଳ,ଦିଅ ଜ୍ଞାନ,ଶକ୍ତି ଓ ବଳ । ।(୮)
ଯା ପ୍ରତି ଝରେ କୃପାଭାବ,ନୟନୁ ତବ ଗୁରୁଦେବ ।
ସେ କୃପା ବାରିସାଥେ ମିଶିବୁହଇ ହରିଙ୍କ ଶକତି । ।(୯)

 ଯା ପ୍ରତି ତୁମେ କୃପାକର,ସମସ୍ତ ଶକ୍ତି ତା ଚାକର ।
ଶକ୍ତି ଚାଲେ ତୁମ ଇଚ୍ଛାରେ,ପଂଚ ତତ୍ୱ ତ ତୁମ ଆଜ୍ଞାରେ । ।(୧୦)
ଯେମିତି ତୁମ ଇଚ୍ଛା ହୁଏ,ସେପରି ଅଗ୍ନି ବାୟୁ ଧାଏଁ ।
ପଂଚଭୂତ ତ ତୁମର ଦାସ ,ଜଳ,ମାଟି ପୁଣି ଆକାଶ । ।(୧୧)
  
ହେ ଗୁରୁ ସଖା,ଭାଇ,ମାତା,ହେ ପ୍ରିୟ କ୍ଷମାଶୀଳ ପିତା ।
ହୃଦକନ୍ଦରେ ବସିଥାଅ,ମୋ ଶ୍ରଦ୍ଧା ଫୁଲ ଘେନୁଥାଅ । ।(୧୨)
ମୋ ଗୁପ୍ତ ହୃଦୟ ଉଦ୍ୟାନେ ,କୃପାର ପାରିଜାତ ବନେ ।
ଦିଶେ ତୁମର ଦିବ୍ୟ ରୂପ,ଚିନ୍ମୟ ଆଭାରେ ସ୍ବରୂପ । ।(୧୩)

ସେ ବେଳେ ମନ ହୁଏ ସ୍ଥିର,ଚିଦାକାଶରେ ଗୁରୁବର ।
ଭୂରୁ ମଧ୍ୟରେ ଉର୍ଦ୍ଧ ନେତ୍ରେ,ଝଲ ସେ ରୂପ ଜ୍ୟୋତିର୍ମତେ । ।(୧୪)
ଆଭା ଦେଖି ତମ ରୂପର,ମନ ସେଠାରେ ହୁଏ ସ୍ଥିର ।
ସ୍ତବଧ ହୁଏ ପଂଚ ପ୍ରାଣ,ପବିତ୍ର ହୁଏ ମୋ ନୟନ । ।(୧୫)

ସେ କାନ୍ତିମୟ ତୋ ଶରୀର,ବିଦାକାଶରେ ଗୁରୁବର ।
ଭାଷା ମୋ ନାହିଁ ବୋଲିବାକୁ,ରସନା ସ୍ତବ୍ଧ କହିବାକୁ । ।(୧୬)
ଯେମିତି ବାଛୁରୀକୁ ଝୁରି,(ଗାଈ) ଥନରୁ ଦୁଧ ଯାଏ ଝରି ।
ସେମିତି ବାତ୍ସଲ୍ୟ ତୁମର,ଝରଇ ହୋଇ କୃପାଝର । ।(୧୭)

ହେ ଗୁରୁଦେବ ପ୍ରିୟତମ,ତୋ ପାଦେ ସାଷ୍ଟାଙ୍ଗ ପ୍ରଣାମ ।
ଚରଣ ଧୂଳି ଦେହେ ବୋଳି,ପବିତ୍ର ମୁଁ ଯେ ହୋଇଗଲି । ।(୧୮)
  

No comments:

Post a Comment