8 November 2017

ପ୍ରେମ ବିନା,ଭକତିରମାନେ ବୁଝି ତ ହୁଏ ନା

 ସ୍ମିତା ମହାନ୍ତି    
 ଓଁ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ରାଜଧିରାଜ ଯୋଗିରାଜ ପରଂବ୍ରହ୍ମ ଶ୍ରୀ ସଚ୍ଚିଦାନନ୍ଦ ସଦଗୁରୁ ସାଇନାଥ ମହାରାଜ କୀ ଜୟ 
                       ଏ ବ୍ରହ୍ମାଣ୍ଡର ଅଧୀଶ୍ଵର ସ୍ୱୟଂ ଦତାତ୍ରେୟଙ୍କ ଅବତାର , ସାରା ଜଗତକୁ "ଶ୍ରଦ୍ଧା ସବୁରୀ" ମନ୍ତ୍ର ର ଶିକ୍ଷା ଦେଉଥିବା ସାଇନାଥଙ୍କ ଲୀଳା ବର୍ଣ୍ଣନା କରିବାକୁ ମୁଁ ଅକ୍ଷମ। ସେହି କରୁଣାର ଅବତାର ଯାହାର ପାଣିରେ ଦୀପ ଜାଳିବାର କ୍ଷମତା ଥିଲା ନିମ୍ବ ଗଛର ପତ୍ରକୁ ମିଠା କରିବାର କ୍ଷମତା ଥିଲା ତାଙ୍କ ଲୀଳା ଯେତେ ଗାନ କଲେ ମଧ୍ୟ କମ ହେବ  ।   ଶ୍ରୀ ସାଇ ଚରିତ ରେ ବର୍ଣ୍ଣିତ ବାବାଙ୍କ ଲୀଳା ପଢିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ, ବାବାଙ୍କ ସାନିଧ୍ୟରେ ଆସିଥିବା 136 ଜଣ ଚରିତ୍ରଙ୍କ ବିଷୟରେ ଜାଣିଲେ ଆହୁରି ଅଧିକ ଆଶ୍ଚର୍ଯ୍ୟ ଲାଗେ। ସେମାନଙ୍କ ମନରେ ଥିଲା  ବାବାଙ୍କ ପାଇଁ ପ୍ରଗାଢ଼ ଭକ୍ତି ଓ ଶ୍ରଦ୍ଧା। ନିଜ ଜୀବନକୁ ଯେଉ ଯେଉଁ କେତେଜଣ ବାବାଙ୍କ ପାଇଁ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଲଷ୍ମୀବାଇ ସିନ୍ଧେ ଥିଲେ ପ୍ରମୁଖ। ବାବାଙ୍କ ଅନ୍ତିମ କ୍ଷଣରେ ମଧ୍ୟ ସେ ବାବାଙ୍କ ନିକଟରେ ଉପସ୍ଥିତ ରହି ବାବାଙ୍କ ଆଶୀର୍ବାଦ ସ୍ୱରୂପ ନଅ ଗୋଟି ରୌପ୍ୟ ମୁଦ୍ରା ପ୍ରାପ୍ତି କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଲଷ୍ମୀବାଇ ସିନ୍ଧେ ଥିଲେ ଜଣେ କୁଳୀନ ମହିଳା। ବାବାଙ୍କର ଜଣେ ଅନନ୍ୟ ଭକ୍ତ ଥିଲେ ସେ। ଦ୍ଵାରିକାମୟୀରେ ବାବାଙ୍କ ସେବା କରିବା ,ଯେ କୌଣସି ସମୟରେ ମସଜିଦ କୁ ପ୍ରବେଶ କରିବାର ସାହାସ; ଭକ୍ତ ମହଲାସାପତି ,ତାତ୍ୟା ପାଟିଲ ଓ ଲଷ୍ମୀବାଇଙ୍କ ବ୍ୟତୀତ ଆଉ କାହାର ନଥିଲା। ଥରେ ବାବା ସନ୍ଧ୍ୟା ସମୟରେ ତାତ୍ୟୟାଙ୍କ ସହ ମସଜିଦରେ ବସିଥିବା ସମୟରେ ଲଷ୍ମୀବାଇ ଆସି ବାବାଙ୍କୁ ପ୍ରଣାମ କଲେ। ବାବା ତାଙ୍କୁ କହିଲେ ମୁଁ ବହୁତ ଭୋକିଲା ଅଛି। ଏହା ଶୁଣି   ଲଷ୍ମୀବାଇ ଏକ ମୁଁହା ହୋଇ ଦୌଡିଲେ।ଘରୁ ରୁଟି ଓ ଶାଗ ଭଜା ଧରି ପହଁଚିଲେ। କିନ୍ତୁ ବାବା ତାକୁ ଗୋଟିଏ ଭୋକିଲା କୁକୁରକୁ ଦେଇଦେଲେ। ଏହା ଦେଖି  ଲଷ୍ମୀବାଇ ବାବାଙ୍କୁ ପଚାରିଲେ ଆପଣ ଏ କଣ କଲେ। ଆପଣ ଟିକିଏ ବି ନଖାଇ ସବୁତକ କୁକୁରକୁ ଦେଇଦେଲେ।ଏମିତି କରିବାର ଥିଲା,  ମୋତେ କାଇଁ କଷ୍ଟ ଦେଉଥିଲେ। ବାବାଙ୍କ ଉତ୍ତର ଥିଲା କୁକୁରର କ୍ଷୁଧା ଶାନ୍ତ କରିବା ଯାହା ମୋ କ୍ଷୁଧା ଶାନ୍ତ କରିବା ସେଇୟା। 
    ଯିଏ କ୍ଷୁଧାତୁରକୁ ଭୋଜନ କରାଏ, ଯଥାର୍ଥରେ ସେ ମୋତେ ଶାନ୍ତ କରାଏ।ଏହି ଘଟଣା ପରେ ସେ ସବୁଦିନ ବାବାଙ୍କୁ ମଧ୍ୟାହ୍ନ ଭୋଜନ ଓ ରାତ୍ରୀଭୋଜନ କରାଉଥିଲେ। ବାବା ତାଙ୍କ ଦେଉଥିବା ଖାଦ୍ୟରୁ କିଛି ଅଂଶ ନିଜେ ଖାଉଥିଲେ ଆଉ କିଛି ଅଂଶ ରାଧାକୃଷ୍ଣ ମାଇଙ୍କ ପାଖକୁ ପଠାଇ ଦେଉ ଥିଲେ। ରାଧାକୃଷ୍ଣ ମାଈ ଥିଲେ ବାବାଙ୍କର ଜଣେ ଅନନ୍ୟ ଭକ୍ତ। ସେ ସବୁଦିନ ବାବା ଙ୍କ ମସଜିଦ ସଫା କରିବା ଓ ବାବାଙ୍କ ଯିବା ଆସିବା ରାସ୍ତା ସଫା ରଖୁଥିଲେ। ବାବାଙ୍କ ସକାଳ ଜଳଖିଆ ପ୍ରସ୍ତୁତ କରୁଥିଲେ।ସେ ବାବାଙ୍କ ଉଚିଷ୍ଠକୁ ବଡ ଶ୍ରଦ୍ଧା ର ସହ ଗ୍ରହଣ କରୁଥିଲେ। ଲଷ୍ମୀବାଇଙ୍କର ବାବାଙ୍କ ପ୍ରତି ଶ୍ରଦ୍ଧା ବାବାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜାରୀ ରହିଥିଲା। ସେ ହେଉଛନ୍ତି ସେହି ସାତଜଣଙ୍କ ମଧ୍ୟରେ ଜଣେ ଯିଏ ବାବାଙ୍କ ଅନ୍ତିମ କ୍ଷଣରେ ତାଙ୍କ ନିକଟରେ ଉପସ୍ଥିତ ଥିଲେ।ବାବା ତାଙ୍କ ମହାସମାଧି ସମୟରେ ତାଙ୍କୁ ପ୍ରଥମେ ପାଞ୍ଚଟି ଓ ତା ପରେ ଚାରୀଟି ରୌପ୍ୟ ମୁଦ୍ରା ତାଂକ କାଫିନରୁ ବାହାରକରି ଦେଇଥିଲେ।                       
                      ଲଷ୍ମୀବାଇ ଏକ  ମହିଳା ଥିଲେ ମଧ୍ୟ. ବାବା ତାଂକୁ ନଅ ଟଙ୍କା ଦେବା ପଛରେ କିଛି ବିଶେଷ ମହତ୍ତ୍ୱ ଥିଲା। ବାବାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନଅ ଟଙ୍କାକୁ ସେ  ଯତ୍ନର ସହ ରଖିଥିଲେ। ସେହି ନଅ ଗୋଟି ମୁଦ୍ରାର ନଅଟି ବିଶେଷ ମହତ୍ତ୍ୱ ଥିଲା ଯାହାକି ସେ ପରବର୍ତ୍ତୀ ସମୟରେ ଉପଲବ୍ଧି କରିଥିଲେ। ନଅଗୋଟି ମୁଦ୍ରା ଥିଲା ନବଧା ଭକ୍ତିର ସ୍ୱରୂପ। ପ୍ରଥମ ମୁଦ୍ରା ଭଗବାନ ଙ୍କ ନାମ ଶ୍ରବଣ ,ଦ୍ଵିତୀୟ ମୁଦ୍ରା କୀର୍ତ୍ତନ ,ତୃତୀୟ ମୁଦ୍ରା ନାମ ସ୍ମରଣ ,ଚତୁର୍ଥ ମୁଦ୍ରା ପଦାସେବା , ପଞ୍ଚମ ମୁଦ୍ରା ଅର୍ଚ୍ଚନା,ଷଷ୍ଠ ମୁଦ୍ରା ବନ୍ଦନା ବା ପ୍ରଣାମ, ସପ୍ତମ ମୁଦ୍ରା ଦାସ ( ସେବକ ) ଅଷ୍ଟମ ମୁଦ୍ରା ସଖା ଓ ନବମ ମୁଦ୍ରା ଆତ୍ମସମର୍ପଣ  ।ଏହା ହେଲା ନଅ ପ୍ରକାର ର ଭକ୍ତି।ଏହା ମଧ୍ୟରୁ ଗୋଟିକୁ ଯଦି ବାସ୍ତବ ରୁପେ ଗ୍ରହଣ କରାଯାଏ ତେବେ ବାବା ଅବଶ୍ୟ ଭକ୍ତ ପାଖରେ ପ୍ରକଟ ହୁଅନ୍ତି। ଶିରିଡ଼ିର ସମାଧି ମନ୍ଦିରରେ ବାବାଙ୍କ ମୂର୍ତ୍ତି ସ୍ଥାପନ ସମୟରେ ଲଷ୍ମୀବାଇ ଜୀଵିତ ଥିଲେ। ବାବା ତାଙ୍କ ଭକ୍ତି ଓ ସେବାରେ ପ୍ରୀତ ହୋଇ ନଅ ଗୋଟି ମୁଦ୍ରା ଦାନ କରିଥିଲେ ଯାହାକି ଏ ପର୍ଯ୍ୟନ୍ତ ତାଙ୍କ ଉତ୍ତରାଧିକାରୀ ମାନଙ୍କ ପାଖରେ ଶୋଭା ପାଉଛି। ବିଗତ ପାଞ୍ଚ ପିଢି ଧରି ତାଙ୍କ ପରିବାରଵର୍ଗ ସେହି ମୁଦ୍ରା ଗୁଡ଼ିକର ସୁରକ୍ଷା କରି ଆସୁଛନ୍ତି। ଲକ୍ଷ ଲକ୍ଷ ଭକ୍ତ ବାବାଙ୍କ କର କମଳର ସ୍ପର୍ଶ  ପାଇଥିବା ମୁଦ୍ରା ଗୁଡିକ ର ଦର୍ଶନ ଲାଭ କରିବାର ସୌଭାଗ୍ୟ  ପାଇ ପାରୁଛନ୍ତି। ଲଷ୍ମୀବାଇଙ୍କ ଜୀବନଶୈଳୀ ରୁ ଏହା ଶିକ୍ଷଣୀୟ ଯେ ପ୍ରତ୍ୟେକ ମହିଳା ଯଦି ତାଙ୍କ ପରି ସରଳ,ନିଃସ୍ୱାର୍ଥପର ଓ ଈଶ୍ୱର ବିଶ୍ୱାସୀ ହୁଅନ୍ତି ଆଧ୍ୟାତ୍ମିକ ମାର୍ଗରେ ଚାଲନ୍ତି ,ନିଜର ଇଷ୍ଟ ଦେବଙ୍କୁ ସଦା ସର୍ବଦା ଭକ୍ତି ଓ ଆଦରର ସହ ସ୍ମରଣ କରନ୍ତି ତେବେ ଭଗବାନଙ୍କ  ଆଶୀର୍ବାଦ ପାଇବାର ସୁଯୋଗ ଅବଶ୍ୟ ଲାଭ କରିବେ। ।
।।ଜୟ ଶ୍ରୀ ସାଇ।। 

No comments:

Post a Comment