4 November 2017

ସଃ ମହାତ୍ମା ସୁଦର୍ଲଭ ବନାମ ନବଧା ଭକ୍ତି

                       ମାଧବାନନ୍ଦ ଭୋଇ
ଶିରିଡି ପବିତ୍ର ଆଶ୍ରମ । ଆଶ୍ରମର କୋଣ ଅନୁକୋଣରେ ଗୁଞ୍ଜରି ଉଠୁଛି ପବିତ୍ର ଧୂନ୍ ଓମ୍ ସାଇ.........ଓମ୍ ସାଇ । ପରମ ପୂଜ୍ୟ ସାଇ ବାବା ଧ୍ୟାନ ମୁଦ୍ରାରେ ଉପବେଶନ କରିନ୍ତି । ମୁଖ ମଣ୍ଡଳରେ ସ୍ମିତହାସ୍ୟ । କେଉଁ କୋଣ ଅନୁକୋଣରୁ ଭକ୍ତ ମାନେ ଛୁଟି ଆସୁଛନ୍ତି ପ୍ରଭୁଙ୍କ ଦର୍ଶନ ପାଇଁ । ଭକ୍ତ ଭକତିର ପ୍ଳାବନରେ ନିଜକୁ ହଜାଇ ଦେଉଛନ୍ତି । ହୃଦୟର ମନ୍ଦିରରେ ମନ ପୂଜାରିଣୀ ଚାହିଁ ବସିଛି, କେବେ ପ୍ରଭୁ ଆସିବେ ? କେବେ ସଦ୍ ଗୁରୁ ଆସି ହୃଦୟ ସିଂହାସନରେ ବସି ୟେ ଜୀବନକୁ ଧନ୍ୟ କରିଦେବେ ? ସଂସାରର କୁତ୍ରିମ ମିଳନରେ ଆନନ୍ଦ ଓ ସୁଖ ନ ଥାଏ । କେବଳ ଥାଏ କ୍ଷଣିକ ମୋହ ଓ ଦୈହିକ ଲାଳସାର ଅଦ୍ୟମ ଆକାଂକ୍ଷା । ସଂସାର  ଜଡ ବସ୍ତୁବାଦର ମାୟାରେ ମଣିଷର ମନ ଅସ୍ଥାୟୀ ସୁଖ ପାଇଁ ଉନ୍ମୋଦିତ  ହୋଇ ଉଠେ । ହେଲେ ପରିତୃପ୍ତି କାହିଁ? ବାସ୍ତବରେ ପରିତୃପ୍ତି ଥାଏ ଶାଶ୍ୱତ ପ୍ରେମରେ,ଯେଉଁ ପ୍ରେମ ହୋଇ ଥାଏ ଭକ୍ତ ଓ ଭଗବାନଙ୍କ ମଧ୍ୟରେ । ଯେ ପର୍ଯ୍ୟନ୍ତ ମଣିଷ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ ନକରିଛି,ସେ ତାଙ୍କର ସାନିଧ୍ୟ ପାଇବା ବା କିପରି? କେବଳ ଅନୁଭବୀ ଭକ୍ତ ହିଁ ହୃଦୟରେ ଅନୁଭବ କରିପାରେ, ଦର୍ଶନ ବି କରିପାରେ ତାର ହୃଦୟ ମନ୍ଦିରରେ ତଥା ଅର୍ନ୍ତଚକ୍ଷୁରେ । ଯେତେବେଳେ ପ୍ରଭୁଙ୍କ ପାଇଁ ଆଖିର ଲୁହ ଆସି ପ୍ରଭୁଙ୍କ ପାଦ ଧୋଇ ଦିଏ, ସେତେବେଳେ ଗଂଗା ଜଳ ଓ ପଂଚାମୃତର କ’ଣ ବା ଆବଶ୍ୟକ? ଯେତେବେଳେ ହୃଦୟର କୋହ ଛାତିରେ ଜମାଟ ବାନ୍ଧି ପ୍ରଭୁଙ୍କୁ ପାଇବା ପାଇଁ ୟେ ମନ ବ୍ୟାକୁଳ ହୋଇଉଠେ,ସେଠାରେ ପୂଜାର ଆବଶ୍ୟକ କ’ଣ ବା ଥାଇପାରେ? ବାସ୍ତବରେ ଅଭିନବ ୟେ ଦୃଶ୍ୟ ! 

               ଏଇମିତି ଜଣଙ୍କ ପରେ ଜଣେ ଆସି ବାବାଙ୍କ ଦର୍ଶନ କରି ନିଜକୁ କୃତାର୍ଥ ମନେ କରୁଥାନ୍ତି । କ୍ରମେ କ୍ରମେ ପରିବେଶଟି ଲୋକାରଣ୍ୟ ହୋଇ ଉଠୁଥାଏ । ସମସ୍ତଙ୍କ ମନରେ ଆଗ୍ରହ,ବାବାଙ୍କୁ ଦର୍ଶନ କରି ଆର୍ଶିବାଦ ଲାଭ କରିବେ  । ଏହି ସମୟରେ ପୁନେରେ ବାସ କରୁଥିବା ଶ୍ରୀ ଅନନ୍ତ ରାଓ ପାଟଣକର ପହଂଚିଲେ । ଶ୍ରୀ ଅନନ୍ତ ରାଓ ପାଟଣକର ଜଣେ ଉଚ୍ଚ ବିଦ୍ୱାନ ଥିଲେ । ଅବଶ୍ୟ ସାଇ ବାବାଙ୍କ ଦିଗ୍ ଦର୍ଶନରେ ଅନୁପ୍ରାଣିତ ହୋଇ ଜଣେ ପରମ ଭକ୍ତ ହୋଇଯାଇଥିଲେ । ତେବେ ଭାରତ ବର୍ଷରେ ଥିବା ବେଦ,ଉପନିଷଦ,ଅଷ୍ଟାଦଶ ପୁରାଣ, ଷଡ ଦର୍ଶନ ଓ ବିଭିନ୍ନ ଧର୍ମ ଶାସ୍ତ୍ର ଗୁଡିକୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ । କିନ୍ତୁ ସେ ଅସନ୍ତୁଷ୍ଟ ଥିଲେ । ଜୀବନର ପ୍ରକୃତ ଲକ୍ଷ୍ୟ ବିଷୟରେ ସେ ସଂପୂର୍ଣ୍ଣ ଅନଭିଜ୍ଞ ଥିଲେ । ବାବାଙ୍କର ମହିମା ଶୁଣି ବାବାଙ୍କର ପାଦ ଦୁଇଟିକୁ ଜାବୁଡି ଧରି କାନ୍ଦି ଉଠିଲେ । ବାବା
ଟିକେ ଚାହିଁ ହସିଦେଲେ । ବୁଝି ପାରିଲେନି ଅନନ୍ତ ରାଓ । ସେ ବ୍ୟାକୁଳ ତାର ସହିତ କହିଲେ “ବାବା,ଜୀବନରେ ବହୁତ ଗ୍ରନ୍ଥଶାସ୍ତ୍ର ଅଧ୍ୟୟନ କଲି ସତ,ହେଲେ ମୁଁ ଜୀବନର ମାନେ କିଛି ବୁଝିପାରିଲିନି । ନା ପାଇ ପାରିଲି ପରମଶ୍ୱରଙ୍କୁ ସ୍ଥୂଳ ଭାବରେ, ନା ଅନୁଭବ କରି ପାରିଲି ପ୍ରଭୁଙ୍କ ସାନିଧ୍ୟ ସୂକ୍ଷ୍ମ ଭାବରେ । ସତରେ ମୋ ଜୀବନଟା ବରବାଦ ହୋଇଗଲା । ବରଂ ମୋ ଠାରୁ ଅଶିକ୍ଷିତ ଲୋକମାନେ ଭଗବାନଙ୍କ ସାନିଧ୍ୟ ଅନୁଭବ କରି ବହୁତ ଆନନ୍ଦରେ ଅଛନ୍ତି । ହେଲେ ମୋ ପରି ଅଧମ, ଆପଣଙ୍କ ପାଦରେ  ପ୍ରାର୍ଥନା କରୁଛି ମୋତେ ଆଶିଷ ଦେଇ ମୋ ଜୀବନକୁ ଧନ୍ୟ କରି ଦିଅନ୍ତୁ । ”  ସାଇବାବା କହିଲେ “ବତ୍ସ  ଏକ କାହାଣୀ କହୁଛି, ଶୁଣ । ଉକ୍ତ କାହାଣୀର ମର୍ମକୁ ଉପଲବ୍ଧ କରି,ତୁମ ଜୀବନରେ ଲଗାଇ ପାରିଲେ,ତୁମେ ନିଶ୍ଚୟ ସଫଳତା ପାଇପାରିବ ।”
              ଥରେ ଜଣେ ବ୍ୟବସାୟୀ ଘୋଡା ଉପରେ ସବାର ହୋଇ ଅନ୍ୟ ଏକ ସହରକୁ ବାହାରିଥିଲେ । ହଠାତ୍ ଘୋଡାଟି ନଅଟି ଲଣ୍ଡି ଭାବରେ ମଳ ତ୍ୟାଗ କଲା । ବ୍ୟବସାୟୀ ଜଣକ ଅତ୍ୟନ୍ତ ଆଗ୍ରହର ସହକାରେ ସାଉଁଟି ଆଣିଲା ଏବଂ ପରବର୍ତୀ ଜୀବନରେ ସେ ଅତ୍ୟନ୍ତ ସୁଖ ଲାଭକଲା । ହେଲେ ଅନନ୍ତ ରାଓ  କାହାଣୀର ପ୍ରକୃତ ଅର୍ଥ ବୁଝି ପାରିଲେ ନାହିଁ, ସେଦିନ ସେ ଶିରିଡିର ଆଶ୍ରମରେ ରାତ୍ରି ଯାପନ କଲେ, ପାଖରେ ଥିଲେ ସାଇ ବାବାଙ୍କ ପରମ ଭକ୍ତ ଦାଦା କେଲକର । ଅନନ୍ତ ରାଓ ତାଙ୍କୁ ବାବାଙ୍କ କାହାଣୀ ବିଷୟରେ ଉତ୍ଥାପନ କଲେ । ଦାଦା କେଲକର ତାଙ୍କୁ ଅତ୍ୟନ୍ତ ସରଳତାର ସହ ବୁଝାଇ କହିଲେ“ ବସ୍ତବରେ ଅନନ୍ତ ରାଓ, ଘୋଡାରେ ବସିଥିବା ବ୍ୟବସାୟୀ ଜଣକ ଇଶ୍ୱର ଅଟନ୍ତି । ଘୋଡା ହେଉଛି ଇଶ୍ୱରଙ୍କର କୃପା ଅଟେ । ଏବଂ ନଅଟି ଲଣ୍ଡି ନବଧା ଭକ୍ତି ର ସ୍ବରୂପ ଅଟନ୍ତି । ନବଧା ଭକ୍ତି ଗୁଡିକ ଯଥା କ୍ରମେ : (୧) ପ୍ରଭୁଙ୍କ ନାମ ଶ୍ରବଣ, (୨) ପ୍ରଭୁଙ୍କ ନାମ ଭଜନ,(୩) ପ୍ରଭୁଙ୍କ ନାମ ସ୍ମରଣ,(୪) ପ୍ରଭୁଙ୍କ ପାଦ ସେବନ,(୫) ପ୍ରଭୁଙ୍କ ଅର୍ଚ୍ଚନା,(୬) ପ୍ରଭୁଙ୍କ ସଖ୍ୟ,(୭) ପ୍ରଭୁଙ୍କ ନାମ ବନ୍ଦନ,(୮) ପ୍ରଭୁଙ୍କ ଦାସ୍ୟ ଓ (୯) ପ୍ରଭୁଙ୍କ ଆତ୍ମ ନିବେଦନ ଅଟେ । ଯେଉଁ ନବଧା ଭକ୍ତିରେ ପ୍ରଭୁଙ୍କୁ ଭଲ ପାଇବା ଓ ତାଙ୍କୁ ପାଇବା ମନ ବ୍ୟାକୁଳିତ ହେବା ହିଁ ଶ୍ରେଷ୍ଠତମ ଉପାୟ ଅଟେ ।”
            ସତରେ ଯୁଗେ ଯୁଗେ ଭଗବାନ ଭକ୍ତର ଅଧିନ ଅଟନ୍ତି । ରାମାୟଣରେ ମାତା ଶବରୀ ପ୍ରଭୁ ଶ୍ରୀରାମଙ୍କ ଆଗମନ ପାଇଁ ଦୀର୍ଘ ଦିନର ପ୍ରତିକ୍ଷା ଆଉ ବାସ୍ତବତା, କେଉଁ ଦିନ ମୋ ପ୍ରଭୁ ଆସିବେ? ସେଥିପାଇଁ ଆସିବା ବାଟରେ ପ୍ରତିଦିନ ଫୁଲ ସଜାଇବାରେ ବ୍ୟସ୍ତ ତ ବଣରୁ କୋଳି ଆଉ ଫଳମୂଳ ଆଣିବାରେ ବ୍ୟସ୍ତ । ଏହାଠାରୁ ପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସାଧନା ଆଉ କ’ଣ ହୋଇପାରେ । ଯେ ପର୍ଯ୍ୟନ୍ତ ମଣିଷ ନିଜର ପରିବାରର ମଣିଷ ପରି ଭଗବାନଙ୍କୁ ନିଜର ନ କରିଛି, ତାଙ୍କୁ ପାଇବା ବହୁତ କଷ୍ଟ ହୋଇ ପଡେ । ତେବେ ଶେଷରେ ଆସିଗଲା ସେହି ଅଭୁଲା ମୁହୁର୍ତ,ମାତା ଶବରୀଙ୍କ ପ୍ରତିକ୍ଷା ଶେଷ ହେଲା । ମାତା ସୀତାଙ୍କୁ ଖୋଜି ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ  ପହଂଚିଲେ । ଋଷି ପ୍ରତିମା ତଥା ଦେବତୁଲ୍ୟ ଶରୀର ଓ କୋଟି କନ୍ଦର୍ପର କାନ୍ତି ଆଭା ଉକୁଟି ଆସୁଛି ମୁଖ ମଣ୍ଡଳରେ । ପରିଚୟ ପର୍ବ ସରିଲା ପରେ ଲୋଟି ପଡିଲେ ମାତା ଶବରୀ ପ୍ରଭୁଙ୍କ ପାଦ ପଦ୍ମରେ । ଆଖିରୁ ଝରିଗଲା ଅସରା ଅସରା ଲୁହ । ସେ ଅସରା ଅସରା ଲୁହ ଭକ୍ତ  ଭଗବାନଙ୍କ ମିଳନର, ଔପଚାରିକତା ଦୃଷ୍ଟିରୁ ଯେତେବେଳେ ମାତା ଶବରୀ ପ୍ରଭୁଙ୍କ ପାଦ ଧୋଇ ଦେବାପାଇଁ କଳସୀରେ ଗଙ୍ଗାଜଳ ନେଇ ଆସନ୍ତେ, ଶ୍ରୀରାମ ପ୍ରସନ୍ନ ପୂର୍ବକ ଅତ୍ୟନ୍ତ ପବିତ୍ର ଅଟେ, ଆଉ କ'ଣ ବା ମୋର ଆବଶ୍ୟକ ଅଛି । ଏହାପରେ ଶବରୀଙ୍କ ଉଚ୍ଚିଷ୍ଟ କୋଳି ଗୁଡିକୁ ଆନନ୍ଦର ସହ ଭୋଜନ କରିଥିଲେ । ଶେଷରେ ମାତା ଶବରୀଙ୍କ ଅନୁରୋଧ କ୍ରମେ ପ୍ରଭୁ ନବଧା ଭକ୍ତିର ଗାଥା ଶୁଣାଇଥିଲେ ।
  ପ୍ରଥମ୍ ଭଗତି ସନ୍ତହ  କର ସଂଗା,
                           ଦୁସରୀ ରତି ମମ କଥା ପ୍ରସଙ୍ଗା ।
ଗୁରୁ ପଦ ପଙ୍କଜ ସେବା,
                                   ତିସରୀ ଭଗତି ଅମାନ । ।
ଚୌଥ ଭଗତି ମମ ଗୁଣ ଗାନ,
                              କରଇ କପଟ ତେଜି ଗାନ । ।
ମନ୍ତ୍ର ଜପ ମମ ଦୃଢ ବିଶ୍ୱାସ,
                    ପଂଚମ  ଭଜନ ସୋ ବେଦ ପ୍ରକାଶ । ।
ଛଠ ଦମ, ଶୀଲ, ବିରତି ବହୁ କରମା,
                         ନିରତ ନିରନ୍ତର ସଜ୍ଜନ ଧରମ । ।
ସାବତ ସମ ମୋହି ମୟ ଜଗ ଦେଖା,
                       ମୋତେ ସନ୍ତ ଅଧିକ କରି ଲେଖା । ।
ଆଠବ ଯଥା ଲାବ ସନ୍ତୋଷା,
                             ସପନେହୁଁ ନହିଁ ଦେଖ ପର ଦୋଷ । ।
ନବମ ସରଲ ସବ ସଂ ଛଲହୀନା,
                               ମମ ଭରସ ହିୟ ହରସ ନ ଦୀନା । ।
                                                                  (ରାମ ଚରିତ ମାନସ)
                ତା' ପର ଦିନ ସକାଳ ହେଲା । ଅନନ୍ତ ରାଓ ସାଇ ବାବାଙ୍କ ପାଦ ଧରି କାନ୍ଦି ଉଠିଲେ । ପ୍ରିୟ ଅନନ୍ତ , ତୁମେ କ'ଣ ନଅଟି ଲଣ୍ଡି ପାଇ ସାରିଲଣି ଅନ୍ତର୍ଯାମୀ ବାବା କହିଲେ । ବାବା, ଆପଣ ଯେତେବେଳେ ମୋତେ ୟେ ମୂଲ୍ୟବାନ କାହାଣୀ କହିଛନ୍ତି, ସଦା ସର୍ବଦା ମୋ ପ୍ରତି କୃପା  ଦୃଷ୍ଟି ରଖିଥାନ୍ତୁ । ବାବା କେବଳ ମୁୁରୁକି ହସି ଅନନ୍ତ ରାଓ ମୁଣ୍ଡର ହାତ ବୁଲାଇ ଆଉଁସି ଦେଲେ । ଅନନ୍ତ ରାଓ ହିଁ ସତେ ଯେପରି ଜୀବନର ସବୁ କିଛି ପରମ ପ୍ରେମମୟ ସାଇ ବାବାଙ୍କ ପାଦ ପଦ୍ମରେ ସମର୍ପଣ କରିଦେଲେ ।ବାସ୍ତବରେ ପରମ ପ୍ରେମମୟ ପରମେଶ୍ୱର ଦୟାଳୁ ଓ କୃପାଳୁ ଅଟନ୍ତି । ଆମ୍ଭେ କେବଳ ନିମିତ ମାତ୍ର । ଯେତେବେଳେ ଆମ୍ଭେ ତାଙ୍କ ନିକଟରେ ସମର୍ପିତ ହୋଇଯିବା, ଆମ୍ଭ ଜୀବନର ଗତିପଥ ହିଁ ଦିବ୍ୟପଥରେ ପରିଣତ ହୋଇଯିବ । 

 ସା-ଭୋଦଳ, ପୋ-ପାଟସୁନ୍ଦରପୁର
                                                                         

No comments:

Post a Comment