25 October 2017

ସାଇ ଅମୂଲ୍ୟ କବିତା

ସାଇ ତୁମେ ଅମୂଲ୍ୟ ଠାକୁର,                                              ଲକ୍ଷ୍ମୀପ୍ରିୟା ପଟ୍ଟନାୟକ
କଳି ଯୁଗର ଅବତାର ।
ତୁମର ନାମ ଅଶେଷ ପ୍ରକାର,
ବ୍ରହ୍ମାଣ୍ଡର ତୁମେ ଠାକୁର ।
ଶିରିଡିରେ ତୁମରି ସ୍ଥାନ,
ସବୁଠି ରହିଛି ତୁମରି ନାମ ।
ଭକ୍ତ ଯେତେବେଳେ ପ୍ରାର୍ଥନା କରେ ତୁମକୁ ସାଇ,
ସେତେବେଳେ ଆସି ପହଂଚି ଯାଅ ତା ପାଖେ ଧାଇଁ  
କେତେ ଯେ ଅବତାର ନିଅ ତୁମେ,
କେଉଁ ରୂପେ ଆସି ଲୋକଙ୍କ ପାଖରେ ।
ଯେ ଯାହା କାମନା,ଉପାସନା ଚିନ୍ତେ,
ଶୁଣି ନିଅ ତାହାରି ଡାକ ନିମିଷକ ମାତ୍ରେ ।
ଶ୍ରଦ୍ଧା ସବୁରୀ ତୁମରି ଜଣାଣ,
ସମସ୍ତେ କହନ୍ତି ଏହା ସାଇ ବାବାଙ୍କ ନାମ ।
                                                                                 
                                                                                      ବ୍ରାହ୍ମଣସାଇଲୋ
                                                                

ସାଇ ରାମ୍

ସର୍ବଦା ବାବାଙ୍କୁ ସ୍ମରଣ କଲେ                                                       ସମିତା ମହାନ୍ତି
ବଂଚିବାର ରାହା ଅବଶ୍ୟ ମିଳେ ।
ଅନ୍ଧକାରକୁ ସେ ଦିଅନ୍ତି ଆଡେଇ
ଆଲୋକାଭିମୁଖୀ କରନ୍ତି ସେ ସାଇ ।
ଗୁରୁ ସିଏ ମୋର ଜଗତ ଇଶ୍ୱର
ତାଙ୍କ ପାଦ ତଳେ ମୋର ନମସ୍କାର ।
ସାଇ ଆମର ବଡ କୃପାଳୁ
ଏକଥା ଆମେ ତାଙ୍କ କାର୍ଯ୍ୟରୁ ଜାଣୁ ।
ଦୁନିଆରେ ନାହିଁ କେହି ତା ସମାନ
ସାଇ ବିନା ଏଇ ଜୀବନ ଅନ୍ଧାର ।
ସାଇ ନାମଟିତ ଅତ୍ୟନ୍ତ ସୁନ୍ଦର
ଏଇ ନା ମୋର ଭାରି ଆପଣାର ।
କୋଟି ପୂଣ୍ୟର ଭକ୍ତି ବଳରେ
ରହିଛି ମୁଁ ସାଇଙ୍କ ପାଖରେ ।
ଯାହାଙ୍କ ଆଦେଶରେ ଏ ସଂସାର ଚାଲେ
ମୁଁ ତାଙ୍କୁ  ବହୁତ ଭକ୍ତି କରେ ।
ରଖିଛି ମୁଁ ତାଙ୍କ ଉପରେ ବିଶ୍ୱାସ 
ଚାଲୁଥିବା ଯାଏ ମୋ ଶେଷ ନିଶ୍ୱାସ ।
ଏ ଜୀବନ ମୋର ତାଙ୍କରି ଦାନ
ତାଙ୍କ ଛଡା ନାହିଁ ଆଉ କେଉଁଠି ମୋ ମନ ।
ଦେଖିଛି ମୁଁ ତାଙ୍କୁ ମୋ କୃଷ୍ଣ ରୂପରେ
ସେହି ସାଇନାଥ ଥାନ୍ତି ମୋ ଅନ୍ତରେ ।
ତାଙ୍କ ଜୀବନର ଦୁଃଖଦ ବାଣୀ
କେ ତାହା ପାରିବ ବଖାଣି ।
ଦ୍ୱାର ଦ୍ୱାର ବୁଲି ଭିକ୍ଷା କରୁଥିଲେ
ଯାହା ପାଉଥିଲେ ତାହା ଖାଉଥିଲେ ।
ଏମିିତି ତାଙ୍କର ଅନେକ କାହାଣୀ
ବାବା ଚାହିଁଲେ ମୁଁ ପାରିବି ବଖାଣି ।
                                                                                   
                                                                                   ବ୍ରାହ୍ମଣସାଇଲୋ
                                                                          ସୌଜନ୍ୟ :-“ସାଇସନ୍ଦେଶ

ବାବା ଶ୍ରୀ ସାଇ ଅଷ୍ଟୋତର ଶତନାମାବଳୀ

୧) ଓଁ ଶ୍ରୀ ଗଣେଶାୟ ନମଃ ।           ମନୋଜ କୁମାର ଆଚାର୍ଯ୍ୟ
୨) ଓଁ ସତ୍ୟ ଗୁରୁ ସାଇନାଥାୟ ନମଃ ।
୩) ଓଁ ଜଗଗୁରୁ ସାଇନାଥାୟ ନମଃ ।
୪) ଓଁ ପରମ ଗୁରୁ ସାଇନାଥାୟ ନମଃ ।
୫) ଓଁ ଦେବ ଗୁରୁ ସାଇନାଥାୟ ନମଃ ।
୬) ଓଁ ସାଇ ଶିବ ଶକ୍ତିୟେ ନମଃ ।                                    
୭) ଓଁ ସର୍ବ ସର୍ବ ଶକ୍ତିମନାୟ ନମଃ ।
୮) ଓଁ ସାଇ ସର୍ବାୟ ପଳାୟ ନମଃ ।
୯) ଓଁ ସାଇ ସର୍ବୋ ଆତ୍ମାଏ ନମଃ ।
୧୦) ଓଁ ସାଇ ଅଲେଖ ନିରଞ୍ଜନ ନମଃ ।
୧୧) ଓଁ ସାଇ ସର୍ବ ସାକ୍ଷୀୟାୟ ନମଃ ।
୧୨) ଓଁ ସାଇ ଅନ୍ତର୍ଯ୍ୟାମୀୟାୟ ନମଃ ।
୧୩) ଓଁ ସାଇ ପରିପୁରପାଥ ନମଃ ।
୧୪) ଓଁ ସାଇ ଆଦିଶକ୍ତି ୟେ ନମଃ ।
୧୫) ଓଁ ସାଇ ଅନାଦି ଶକ୍ତୟେ ନମଃ ।
୧୬) ଓଁ ସାଇରାମାୟ ନମଃ ।
୧୭) ଓଁ ସାଇ ତ୍ରିଲୋକିନାଥ ନମଃ ।
୧୮) ଓଁ ସାଇ ତ୍ରିକାଳ ଦର୍ଶାୟାୟ ନମଃ
୧୯) ଓଁ ସାଇଗୋବିନ୍ଦାୟ ନମଃ
୨୦) ଓଁ ସାଇ ସଚ୍ଚିଦାନନ୍ଦ ସ୍ବରୂପାୟ ନମଃ
୨୧) ଓଁ ଭକ୍ତ ରକ୍ଷକାୟ ନମଃ
୨୨) ଓଁ ସାଇ ପରମାନନ୍ଦ ସ୍ବରୂପାୟ ନମଃ
୨୩) ଓଁ ସାଇ ମହାଦୁର୍ଗାୟ ନମଃ
୨୪) ଓଁ ସାଇ ଆକର୍ଷଣ ଶକ୍ତାୟ ନମଃ
୨୫) ଓଁ ସାଇ ଅଜ୍ଞାନ ବିନାଶ କାୟ ନମଃ
୨୬) ଓଁ  ସାଇ ଯୋଗୀଶ୍ୱରାୟ ନମଃ
୨୭) ଓଁ ସାଇ ପୁରୁଷୋତମ ପୁରୁଷାୟ ନମଃ
୨୮) ଓଁ ସାଇ ଶଙ୍କରାୟ ନମଃ
୨୯) ଓଁ ସାଇ ସୁଖ ସ୍ବରୂପାୟ ନମଃ
୩୦) ଓଁ ସାଇ କଲ୍ୟାଣ ସ୍ବରୂପାୟ ନମଃ
୩୧) ଓଁ ସାଇ ଜଗ ଆଧାରାୟ ନମଃ 
୩୨) ଓଁ ସାଇ ଦେବ ରକ୍ଷକାୟ ନମଃ
୩୩) ସଁ ସାଇ ରଘୁନନ୍ଦନାୟ ନମଃ
୩୪) ଓଁ ସାଇ ଅସୁର ସଂହାରାୟାୟ ନମଃ
୩୫) ଓଁ ସାଇ କର୍ମ-ଫଳ ଦାତାୟ ନମଃ
୩୬) ଓଁ ସାଇ ଦାତାତ୍ରୟ ନମଃ
୩୭) ଓଁ ସାଇ କର୍ତା ପୁରୁଷାୟ ନମଃ
୩୮) ଓଁ ସାଇ ଦୀନବନ୍ଧ୍ୱାୟ ନମଃ
୩୯) ଓଁ ସାଇ ଭଗତ-ଭୟ ହାରିୟାୟ ନମଃ
୪୦) ଓଁ ସାଇ ଦୁଃଖ ନିବାରଣାୟ ନମଃ
୪୧) ସଁ ସାଇ ଆଦି ନାରାୟଣାୟ ନମଃ
୪୨) ଓଁ ସାଇ ଅକଲ ପୁରୁଷାୟ ନମଃ
୪୩) ଓଁ ସାଇ ଲିଲାଧରିୟାୟ ନମଃ
୪୪) ଓଁ ସାଇ ଜନହିତ କାରିୟାୟ ନମଃ
୪୫) ଓଁ ସାଇ ଶିବ-ଶମ୍ଭୁୟାୟ ନମଃ
୪୬) ଓଁ ସାଇ ଆପତି ହରନାୟ ନମଃ
୪୭) ଓଁ ସାଇ ଶରଣାଗତଃ ନମଃ
୪୮) ଓଁ ସାଇ ମାଘବାୟ ନମଃ
୪୯) ଓଁ ସାଇ ରାଖାନହାରା ନମଃ
୫୦) ଓଁ ସାଇ ଜଗତକାରଣାୟ ନମଃ
୫୧) ଓଁ ସାଇ ସଦଗତି ଦାତାୟ ନମଃ
୫୨) ଓଁ ସାଇ ମହାକାଲିକାୟ ନମଃ
୫୩) ଓଁ ସାଇ କରୁଣା ସିନ୍ଧୁୟାୟ ନମଃ
୫୪) ଓଁ ସାଇ ସର୍ବେଶ୍ୱରାୟ ନମଃ
୫୫) ଓଁ ସାଇ ଜଗଦିଶରାୟ ନମଃ
୫୬) ଓଁ ସାଇ ଶକ୍ତ ଯେ ନମଃ
୫୭) ଓଁ ସାଇ ପତିତପାବନାୟ ନମଃ
୫୮) ଓଁ ସାଇ ବିଶ୍ୱନାଥାୟ ନମଃ
୫୯) ଓଁ ସାଇ ଦେବ ସ୍ବରୂପାୟ ନମଃ
୬୦) ଓଁ ସାଇ ସୁଖଦାତାୟ ନମଃ
୬୧) ଓଁ ସାଇ ହରି ନାରାୟଣାୟ ନମଃ
୬୨) ଓଁ ସାଇ ସତ୍ୟ ସ୍ବରୂପାୟ ନମଃ
୬୩) ଓଁ ସାଇ ସର୍ବ ସାମଣାୟ ନମଃ
୬୪) ଓଁ ସାଥୟୋତି ସ୍ବରୂପାୟ ନମଃ
୬୫) ଓଁ ସାଇ ମହାଲକ୍ଷ୍ମୀୟେ ନମଃ
୬୬) ଓଁ ସାଇ ହରି ଗୋବିନ୍ଦାୟ ନମଃ
୬୭) ଓଁ ସାଇ ସାହମଦେବାୟ ନମଃ
୬୮) ଓଁ ସାଇ ଓଁ କାର ସ୍ବରୂପାୟ ନମଃ
୬୯) ଓଁ ସାଇ ମହାଶରସ୍ବୟେ ନମଃ
୭୦) ଓଁ ସାଇ ମହାବିନାଶକାୟ ନମଃ
୭୧) ସଁ ସାଇ ୱଁକେଟଶ୍ୱରାୟ ନମଃ
୭୨) ଓଁ ସାଇ ହରିବିଠଲାୟ ନମଃ
୭୩) ଓଁ ସାଇ ମୋହବିନାଶକାୟ ନମଃ
୭୪) ଓଁ ସାଇ ବିପତି ଭଞ୍ଜନାଥାୟ ନମଃ
୭୫) ଓଁ ସାଇ ଭକ୍ତିଦାତାୟ ନମଃ
୭୬) ଓଁ ସାଇ ଜ୍ଞାନ ଦାତାୟ ନମଃ
୭୭) ଓଁ ସାଇ ମୁକ୍ତିଦାତାୟ ନମଃ
୭୮) ଓଁ ସାଇ ଗୋପୀ ବଲ୍ଲଭାୟ ନମଃ
୭୯) ଓଁ ସାଇ ଭରତାରକାୟ ନମଃ
୮୦) ଓଁ ସାଇ ସର୍ବ ପ୍ରିୟାୟ ନମଃ
୮୧) ଓଁ ସାଇ ଅପରାଧ ହର୍ତାତ୍ ନମଃ
୮୨) ଓଁ ସାଇ ପଣ୍ଡିରିନାଥାୟ ନମଃ
୮୩) ଓଁ ସାଇ କୃପା  ସାଗରାୟ ନମଃ
୮୪) ଓଁ ସାଇ ମଙ୍ଗଳକାରୀ ଦେବାୟ ନମଃ
୮୫) ଓଁ ସାଇ ଅମଙ୍ଗଳହାରୀ ଦେବାୟ ନମଃ
୮୬) ଓଁ ସାଇ ସିନ୍ଧୁ ଆୟ ନମଃ
୮୭) ଓଁ ସାଇ ଶନ୍ତିଦାତାୟ ନମଃ
୮୮) ଓଁ ସାଇ ଚନ୍ଦ୍ରମୌଲିଶ୍ୱରାୟ ନମଃ
୮୯) ଓଁ ସାଇ ଜଗତରୂପାୟ ନମଃ
୯୦) ଓଁ ସାଇ ଆତ୍ମଜ୍ୟୋତିୟାୟ ନମଃ
୯୧) ଓଁ ସାଇ ଲକ୍ଷ୍ମୀନାରାୟଣାୟ ନମଃ
୯୨) ଓଁ ସାଇ ଅଭେଦ ଶକ୍ତିମାୟ ନମଃ
୯୩) ଓଁ ସାଇ ବିଶ୍ୱଆତ୍ମାୟ ନମଃ
୯୪) ଓଁ ସାଇ ପରମାତ୍ମାୟ ନମଃ
୯୫) ଓଁ ସାଇ ଅଗ୍ନିସ୍ବରୂପାୟ ନମଃ
୯୬) ଓଁ ସାଇ ଭକ୍ତବତ୍ସଳାୟ ନମଃ
୯୭) ଓଁ ସାଇ ଗାୟତ୍ରୀୟାୟୀ ନମଃ
୯୮) ଓଁ ସାଇ ମହାଅମ୍ବିକାୟ ନମଃ
୯୯) ଓଁ ସାଇ ଧର୍ମରକ୍ଷକାୟୀ ନମଃ
୧୦୦) ଓଁ ସାଇ ସିଦ୍ଧ ଦାତାୟ ନମଃ
୧୦୧) ଓଁ ସାଇ ଶୁଦ୍ଧିଦାତାୟ ନମଃ
୧୦୨) ଓଁ ସାଇ ଭରପକ୍ରାୟ ନମଃ
୧୦୩) ଓଁ ସାଇ ସାଧୁରକ୍ଷକାୟ ନମଃ
୧୦୪) ଓଁ ସାଇ ଚିନ୍ତାନାଶକାୟ ନମଃ
୧୦୫) ଓଁ ସାଇ ଭାଗ୍ୟ ବିଧାତାୟ ନମଃ
୧୦୬) ଓଁ ସାଇ ଆନନ୍ଦ ମୁକୁରାୟ ନମଃ
୧୦୭) ଓଁ ସାଇ ହରିହରାୟ ନମଃ
୧୦୮) ଓଁ ସାଇ ପରମବ୍ରହ୍ମାୟ ନମଃ ।
                                                             

ଓମ୍ ସାଇରାମ୍

ଓମ୍ ସାଇ ବୋଲି କେତେ ମୁଁ ଡାକିଲି,                ସୁକେଶ ପଟ୍ଟନାୟକ
ହେଲେ ତୁମକୁ ପାଇଲି ନାହିଁ,
ମାୟା ସଂସାରରେ ଦିନ ଚାଲିଗଲା,
ଓମ୍ ସାଇ ନିତି କହି ।
ମଣିଷ ଜୀବନ ସତେକି ଦାରୁଣ,
ଚାଲିବାଟା ଭାରି କଷ୍ଟ,                                  
ତୁମ ବିନା ପ୍ରଭୁ ୟେ ମୋର ଜୀବନ,                                      
କର ନାହିଁ ନିରର୍ଥକ ।
ସାରା ଜଗତରେ ତୁମରି ନାମରେ,
ବାଜୁଛି କେତେ ବାଜଣା,  
ଇଶ୍ୱର ହିଁ ସତ୍ୟ ଆଉ ସବୁ ମିଥ୍ୟା,
ସଂସାରର ବାଟ ବଣା ।
ରାହା ଧରି ଯେବେ ଶିଶୁ କାନ୍ଦି ଉଠେ,
ମାଅ ତା'ର ଆସେ ଧାଇଁ,
ମନ ମନ୍ଦିରରେ ଧାଇଁ ଆସ ସାଇ,
ନିଅ ହେ ମୋତେ କୋଳାଇ ।
                                                                                                                                            
                                                                                                             ବ୍ରାହ୍ମଣସାଇଲୋ,କଟକ

24 October 2017

ଗଣେଷ ଓ ମୂଷା ପ୍ରସଙ୍ଗ

                            ଜଣେ ଥିଲେ ବୌରାଗୀ ବାବା । ତାଙ୍କ ପାଖରେ ଦୁଇଟି ସୁନାର ମୂର୍ତି ଥିଲା । ଗୋଟିଏ ଥିଲା ଗଣେଷଙ୍କର ଓ ଅନ୍ୟଟି ତାଙ୍କ ବାହାନ ମୂଷାର । ଥରେ ବୌରାଗୀ ବାବାଙ୍କର ତୀର୍ଥଯାତ୍ରା କରିବାପାଇଁ ଭାରି ମନ ହେଲା; କିନ୍ତୁ ଅର୍ଥ ତାଙ୍କ ପାଖରେ ନ ଥାଏ । ତେଣୁ ସେ ଭାବିଲେ  ଏ ସୁନାର ମୂର୍ତି ଦୁଇଟିକୁ ବିକ୍ରି କରିଦେଲେ ଅର୍ଥର ବ୍ୟବସ୍ଥା ହୋଇଯିବ । ତେଣୁ ସେ ଜଣେ ସୁନାରୀ ପାଖରେ ପହଚିଂଲେ । ସୁନାରୀକୁ କହିଲେ ମୂର୍ତି ଦୁଇଟିକୁ ନେଇ ମୋତେ ତା’ର ମୂଲ୍ୟ ଦେଇଦିଅ । ସୁନାରୀ ମୂର୍ତୀ ଦୁଇଟିକୁ ନେଇ ଓଜନ କଲା । ଓଜନରେ ଦେଖାଗଲା ଗଣେଷ ମୂର୍ତୀର ଓଜନ ଯେତିକି ମୂଷାର ଓଜନ ମଧ୍ୟ ସେତିକି । ତେଣୁ ସେ ବାବାଙ୍କୁ କହିଲା- ବାବା,ଗଣେଷ ମୂର୍ତୀର ଦାମ୍ ଯେତେ ମୂଷାର ଦାମ୍ ବି ସେତେ । ଏହା ଶୁଣି ବୌରାଗୀ ବାବା ଆଶ୍ଚର୍ଯ ହେଲେ । କହିଲେ,“ଏ କିପରି କଥା  । ମୂଷା ହେଲା ତାଙ୍କର ବାହାନ । ଗଣେଷଜୀ ହେଉଛନ୍ତି ମୂଷା ପିଠିରେ ବସିଲାବାଲା ମାଲିକ । ଉଭୟଙ୍କ ଦାମ୍ ସମାନ ହେବ କିପରି? ଗଣେଷଙ୍କ ଦାମ୍ ବେଶୀ ହେବା କଥା ।” 
        ସୁନାରୀ କହିଲା- ବାବା, ମୁଁ ଗଣେଷଜୀ କି ମୂଷା ହିସାବରେ ମୂର୍ତୀ ଦୁଇଟିକୁ ଦେଖୁନାହିଁ । ମୁଁ ଦେଖୁଛି ସୁନାକୁ  । ସୁନା ଉଭୟ ମୂର୍ତୀରେ ସମାନ ପରିମାଣରେ ଅଛି । ତେଣୁ ମୂଲ୍ୟ ସମାନ ।
                       ଅନୁଚିନ୍ତା- ଈଶ୍ୱରଙ୍କ ସୃଷ୍ଟିରେ ଅଣୁ ପରମାଣୁରେ ଭଗବାନହିଁ ବିଦ୍ୟମାନ  ଅଛନ୍ତି । ତେଣୁ ସର୍ବତ୍ର ଭଗବାନଙ୍କୁ ଦେଖୁଥିବା ବ୍ୟକ୍ତି ସମଦର୍ଶୀ ହୋଇଥାନ୍ତି । ଜଡ ଚେତନ,ସ୍ଥାବର ଅସ୍ଥାବର ସବୁ କିଛିର ତତ୍ୱ ସମାନ ହୋଇଥିବାରୁ ସମଦର୍ଶୀ ବ୍ୟକ୍ତି ପାର୍ଥକ୍ୟ ଅନୁଭବ କରନ୍ତି ନାହିଁ ।
                                                                    ସୌଜନ୍ୟ “ସନ୍ଥ ବଚନ”

22 October 2017

ସଂସାର ଅଫେରା ଗାଡି

ଲିପୁନ ରାଉତରାୟ 

ଦେବଙ୍କ କୃପାରୁ ପବିତ୍ର ଧରାରେ,
ଉଧାରିଲ ପ୍ରଭୁ ସାଇ,
ପ୍ରେମ ଶରଧାର ଆଲୋକ ବିଛାଇ,
ଉଧାରିଲ ବାବାସାଇ  । ।
ଶ୍ରଦ୍ଧା ସବୁରୀ ୟେ ମହତ ବାଣୀ
                                ହରଇ ମାନବ ଶୋକ,
ହିନ୍ଦୁ,ମୁସଲମାନ ନୁହଁଇ ଫରକ,
                               ସବ୍ କା ମାଲିକ ଏକ । ।
ବାବାଙ୍କ ଚରଣେ ନେବା ହେ ଶରଣ,
                               ଲୋଭ, ଅହଂକାର ଛାଡି,
ଆଜି ଏ ଜୀବନ, କାଲି କି ନ ଥିବ,
                             ସଂସାର ଅଫେରା ଗାଡି  । ।
ପାଟସୁନ୍ଦରପୁର,କଟକ-୭୫୪୦୧୮

ଶ୍ରୀ ସାଇ ଅନୁଭୂତି

ଗିରିଜା ତନୟା ମହାନ୍ତି
ଓଁ ଶ୍ରୀ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ଶ୍ରୀ ସାଇନାଥଙ୍କ ପାଦ କମଳରେ ମୋର କୋଟି କୋଟି ପ୍ରଣାମ । ମୋର ଏଠାରେ ଦୁଇଟି ଅନୁଭୂତି ପ୍ରକାଶ କରୁଅଛି । 
                      ପ୍ରଥମ ଅନୁଭୂତି: ମୋର ପୁଅର ୨୦୧୨ ମସିହାରେ ମାଟ୍ରିକ୍ ପରୀକ୍ଷା ଚାଲିଥିଲା ସେ ମୋଟେ ପାଠ ପଢେ ନାହିଁ,ମୋର ସବୁବେଳେ ତା'ରି ଚିନ୍ତା  । ସେ କିପରି ମାଟ୍ରିକ୍ ପାସ କରିବ ? ସେଥିପାଇଁ ମୋର ବହୁତ ଚିନ୍ତାଥିଲା । ମୁଁ ବାବାଙ୍କ ବିଷୟରେ ଅନେକ ଲୋକଙ୍କ ଠାରୁ ଅନେକ କଥା ଶୁଣିଥିଲି । ମୋର ବାବାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ ଥିଲା । ମୁଁ ପାଂଚ ଗୁରୁବାର ବ୍ରତ କଲି, ଶେଷ ଗୁରୁବାର ରାତ୍ରିରେ ବାବାଙ୍କୁ ସ୍ବପ୍ନରେ ଦେଖିଲି ଏବଂ ବାବାଙ୍କୁ ପ୍ରଣାମ କଲି । ବାବା କିଛି ନ କହି ଚାଲିଗଲେ । ତା ପରଦିନ ମାଟ୍ରିକ୍ ଫଳ ବାହାରିବାର ଥିଲା । ସେଦିନ ରାତିରେ ସ୍ବପ୍ନରେ ବାବା ମୋତେ ଦେଖାଦେଇ କିଛି ନକହି ଚାଲି ଯିବାରୁ ମୁଁ ବହୁତ କାନ୍ଦିଲି ଏବଂ ଭାବିଲି ମୋ ପୂଅ ପାସ୍ କରିବ ନାହିଁ । ତା' ପର ଦିନ ସକାଳୁ ଗାଧୋଇ ସାରି ବାବାଙ୍କ ପାଖରେ ଦୀପ ଜାଳି ବସି କାନ୍ଦୁଥାଏ, ଠିକ୍  ୮ଘଣ୍ଟା ୩୦ ମିନିଟ୍ ସମୟରେ ମୋର ଭଣଜା ଫୋନ କରି କହିଲା,“ମାଇଁ ତମ ପୁଅ ପାସ୍ କରିଛି ।” ମୁଁ ଏହା ଶୁଣି ଖୁସିରେ କାନ୍ଦି ପକାଇଲି । ସେହି ଦିନୁ ଜାଣିଲି ଯେ ବାବା କାହାରିକୁ ନିରାଶ କରନ୍ତି ନାହିଁ । 
               ଦ୍ୱିତୀୟ ଅନୁଭୂତି: ମୁଁ ପ୍ରତ୍ୟକ ଗୁରୁବାର ବାବାଙ୍କର ଉପବାସକରେ । ମୁଁ ନଅ ଗୁରୁବାର ବ୍ରତ କରିଥିଲି । ମଝି ଗୁରୁବାରଦିନ ହଠାତ୍ ଜଣେ ପାଗଳ ଆସି ଘରେ ପହଂଚି ଖାଇବା ପାଇଁ ମାଗିଲା  । ମୁଁ ତାଙ୍କୁ ଖାଇବାକୁ ଦେଲି,ସେ ଖାଇବା ସମୟରେ ମୁଁ ତାଙ୍କ ମୁହଁକୁ ଅନେଇବା ବେଳେ ତାଙ୍କ ମୁହଁରେ ବାବାଙ୍କ ମୁହଁ ଦେଖିଲା ପରେ ଆପେ ଆପେ ମଥା ନଇଁ ଆସିଲା । ସେ ଖାଇ ସାରିବା ପରେ କହିଲେ,“ମୋତେ ଦୁଇଟଙ୍କା ଦକ୍ଷିଣା ଦିଅ” । ମୁଁ  ଦୁଇଟଙ୍କିଆ ମୁଦ୍ରା ତାଙ୍କ ହାତକୁ ବଢାଇ ଦେଲି ଓ ସେ ଖୁସିରେ ମୋ ଘରୁ ବିଦାୟ ନେଲେ ।  ତା' ପର ଗୁରୁବାର ଦିନ ଆଶ୍ଚର୍ଯ୍ୟ ଘଟଣା ଘଟିଲା, ଅପରାହ୍ନ ୨ଘଟିକା ସମୟରେ ମୁଁ ବିଶ୍ରାମ ନେବା ସମୟରେ ମୁଁ ପନ୍ଧିଥିବା ଲୁଗା କାନି ଉପରେ ଦୁଇଟଙ୍କିଆ ମୁଦ୍ରାଟିଏ ଥୁଆ ହୋଇଥିଲା । ସେହି ମୁଦ୍ରାକୁ ଦେଖୁ ଦେଖୁ ମୋର ସେଦିନର ଘଟଣା ମନେପଡିଗଲା । ମୋତେ ଲାଗିଲା ଯେପରି ଏହି ମୁଦ୍ରା ଅନ୍ୟ କୌଣସି ମୁଦ୍ରା ନୁହେଁ ବରଂ  ସେ ପାଗଳ ରୁପ ଧାରି ମହାତ୍ମାଙ୍କୁ  ଦକ୍ଷିଣା ଭାବେ ଦେଇଥିବା ମୁଦ୍ରାଥିଲା । ମୁଁ ସେଙ୍ଗ ସେଙ୍ଗ ସେହି ଦୁଇଟଙ୍କାକୁ ନେଇ ବାବାଙ୍କ ପାଦ ତଳେ ଥୋଇ ପ୍ରଣାମ କଲି । ତାହାକୁ ଏ ପର୍ଯ୍ୟନ୍ତ ମଧ୍ୟ ବାବାଙ୍କ ପାଦ ପଦ୍ମରେ ରଖି  ପୂଜା କରି ଆସୁଛି ।
                   ଆଉ ଦିନକର ଘଟଣା । ମୁଁ ଭୋରରୁ ଉଠି ବାବାଙ୍କ ପୂଜା ନିମନ୍ତେ ଫୁଲ ତୋଳି ଚାଙ୍ଗୁୁଡିରେ ରଖିଥିଲି । ଗାଧୋଇ ସାରି ଆସି ବାବାଙ୍କୁ ଫୁଲ ଦେବା ବେଳେ ଫୁଲ ଚାଙ୍ଗୁଡିରେ ଥିବା ଫୁଲ ଆଣିବା ସମୟରେ ଚାଙ୍ଗୁଡି ଭିତରୁ ଦୁଇଟଙ୍କା ପାଇଥିଲି । ଏହା ଦେଖି ଆନନ୍ଦରେ ଦୁଇ ଟୋପା ଲୁହ ବୋହି ଯାଇଥିଲା । ଏଥିରୁ ଜାଣିଲି ଯେ, “ବାବା କାହାରି ଧାରୁଆ ରୁହନ୍ତି ନାହିଁ ।”
           ମୁଁ ବାବାଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ,ବାବାଙ୍କ କୃପାଦୃଷ୍ଟି ସର୍ବଦା ମୋ ପରିବାର ଉପରେ ରହିଥାଉ ।
  ଓଁ  ଶ୍ରୀ ସାଇନାଥ ମହାରାଜ୍ କୀ ଜୟ । ।

"ଶିଲଧୀ' ଅର୍ଥାତ୍ ଶିରିଡି ଏବଂ ସାଇବାବା

ପ୍ରଶାନ୍ତ କୁମାର ମହାନ୍ତି
ଶ୍ରୀମଦ୍ ସଚ୍ଚିଦାନନ୍ଦ ସଦ୍ ଗୁରୁ ସାଇନାଥ ମହାରାଜ ଥିଲେ ମହାନ ସନ୍ଥ,ଜ୍ଞାନୀ ଏବଂ ବୈରାଗ୍ୟ ସଂପନ୍ନ ଅଧିକାରୀ । ଶ୍ରୀ ଯୋଗୀରାଜ ଜ୍ଞାନେଶ୍ୱର ମାୱାଲୀର ପବିତ୍ର ଗୋଦାବରୀ କୂଳରେ ନିଜସ୍ବ ଅବତାର ରୂପ ଧାରଣ କରି ଭାରତୀୟ ତତ୍ୱଜ୍ଞାନକୁ ଚଳଚଞ୍ଝଳ କରି ନିଜର ମାତୃଭାଷା ମରାଠୀ ମାଧ୍ୟମରେ ହୃଦୟଗ୍ରାହୀ ଭାବ ନେଇ ପ୍ରଚାର ପ୍ରସାର କିରିଥିଲେ । ଭକ୍ତିଜ୍ଞାନ ସହିତ ବୈରାଗ୍ୟକୁ ସାମିଲ କରି ମହାରାଷ୍ଟ୍ରରେ ବୈଚାରିକତା ତଥା ଶାଶ୍ୱତ ତତ୍ୱ ସିଦ୍ଧାନ୍ତକୁ ସଂକଳିତ କରିଥିଲେଗୋଦାବରୀ ନଦୀ କୂଳରେ ସେଇ ପରମ୍ପରାକୁ ଉଜ୍ଜୀବିତ କରିବା ଲାଗି ଶ୍ରୀ ସାଇ ମହାରାଜ ଜଗତକୁ ଉଦ୍ଧାର କରିବା ପାଇଁ ମାନବ ଶରୀର ଧାରଣ କରି ନିଜସ୍ବ ଅବତାରୀ କାର୍ଯ୍ୟକୁ ସିଦ୍ଧ କରିଥିଲେ । “ଏ ଧର୍ମ ଯୁଗ ଯୁଗ ଧରି ରକ୍ଷା କରିବାକୁ ହେବ । ” ଗୋଦାବରୀ-ସର୍ବଶ୍ରେଷ୍ଠ ଭକ୍ତଙ୍କ ଆଦିଗୁରୁ ଭଗବାନ ଶଙ୍କରଙ୍କ  ଜଟାରୁ ପବିତ୍ର ଗଙ୍ଗାରୁ ସୃଷ୍ଟି ହୋଇଛି । ବ୍ରହ୍ମଗିରି ଶିଖର ଉପରେ (ତ୍ରମ୍ବକେଶ୍ୱର ନିକଟରେ) ନିଜର ଜଟା ଖୋଲିଥିଲେ, ସେହିଥିରୁ ଗଙ୍ଗା ସୃଷ୍ଟି ହେଲେ । ଗୋଦାବରୀ ବି ସୃଷ୍ଟି ହେଲେ ।“ଗୋ” ଅର୍ଥାତ୍ ଭୂମି “ଦା” ଅର୍ଥାତ୍ ଦାତା “ବର” ଅର୍ଥାତ୍ ଶ୍ରେଷ୍ଠ ।
ଗଙ୍ଗା ଏବଂ ଗୋଦାବରୀ ନିଜ ନିଜର ପବିତ୍ରତା ଦ୍ୱାରା ଏ ଭୂମିକୁ ପବିତ୍ର କରୁଛନ୍ତି । ଉତର ଭାରତରେ ଗଙ୍ଗା , ଦକ୍ଷିଣ ଭାରତରେ ଗୋଦାବରୀ, ପୃଥିବୀକୁ ଧାରଣ ଶକ୍ତି ପ୍ରଦାନ କରୁଛନ୍ତି ।ଏମାନଙ୍କର ପ୍ରତ୍ୟକ ଅଣୁ, ପରମାଣୁ ଶକ୍ତି ହେଉଛି ଶ୍ରେଷ୍ଠ ଶକ୍ତି । ଏହି ଶ୍ରେଷ୍ଠ ଶକ୍ତି ବ୍ରହ୍ମକୁ ବିକାଶ କରିବା ଲାଗି ଯେଉଁ ଶକ୍ତିର ଆବଶ୍ୟକତା କରେ ସେହି ଶକ୍ତି ହେଉଛି ଗୋଦାବରୀ । ଏହି ଗୋଦାବରୀ ମହିମା ଅତ୍ୟନ୍ତ ଶ୍ରେଷ୍ଠ ଏବଂ ଏହାର କୂଳର ଶିରିଡି(ଶିଲଧୀ) ନାମକ ସ୍ଥାନରେ ବାବା ଜନ୍ମ ନେଇଥିଲେ ।
                      ସିଦ୍ଧି ପୁରୁଷ ତ ଗୋଦାବରୀ କୂଳରେ ଜନ୍ମ ନେଇଥିଲେ । ଶ୍ରୀମନ ନିବୃତି ନାଥ ଗୋଦାବରୀ ର ଜନ୍ମ ସ୍ଥଳରେ ବ୍ରହ୍ମଗିରିକୁ ପ୍ରଦକ୍ଷିଣ କରିଥିଲେ । ସେତିକି ବେଳେ ସେଠାରେ ଶ୍ରୀ ଗହିନୀନାଥ ଶ୍ରୀ ନିବୃତନାଥଙ୍କୁ ଉପଦେଶ ଦେଇଥିଲେ । ସେହି ସମୟରୁ ସେହି ସ୍ଥଳରୁ ନାଥ ସଂପ୍ରଦାୟ ଅର୍ଥାତ୍ ଭକ୍ତି ମାର୍ଗର ରହସ୍ୟ ସୃଷ୍ଟି ହୋଇଥିଲା । ନିବୃତନାଥ ସନ୍ଥ ଜ୍ଞାନେଶ୍ୱର ଙ୍କ ମାଧ୍ୟମରେ ଭକ୍ତି ଜ୍ଞାନର ପ୍ରଚାର ପ୍ରସାର କରାଇଥିଲେ ।
                     ମହାରାଷ୍ଟ୍ରରେ ଭକ୍ତି ଜ୍ଞାନ ଭାଗବତ ଧର୍ମ  ଭାବରେ ଏବେ ବି ପ୍ରଚଳିତ ଅଛି । ସମୟ ଚକ୍ରରେ ଏଇ ଧର୍ମ ଜ୍ଞାନର ପ୍ରଚାର ପ୍ରସାର ରେ ଶିଥିଳତା ଦେଖାଦେଇଛି । ଯାହା ଫଳରେ  ଏ ସମାଜରେ ସହନଶକ୍ତି କମିଯାଇଛି । ଇଂରେଜ ମାନଙ୍କ ସମୟରେ ଊନବିଂଶ ଶତାବ୍ଦୀର ଶେଷ ଆଡକୁ କର୍ମ ଉପରେ ଜ୍ଞାନର ମୂଲ୍ୟାୟନ କମି ଆସିଲା । ଠିକ୍ ସେହି ସମୟରେ ସାଇବାବା ଅବତାର ଗ୍ରହଣ କଲେ । ଇଂରାଜୀ ଶିକ୍ଷା ଯୋଗୁଁ ଯେଉଁ ବ୍ୟକ୍ତିମାନେ ନିଜସ୍ବ କର୍ତବ୍ୟ ଜ୍ଞାନ ଭୁଲିଯାଉଥିଲେ, ସେହି ମାନଙ୍କୁ କର୍ତବ୍ୟ ଦକ୍ଷ ଏବଂ ଇଶ୍ୱରଭକ୍ତ କରାଇପାରିଥିଲେ ।
                     ମଣିଷ ମନକୁ ଜ୍ଞାନର ସହାୟତାରେ ପବିତ୍ର କରି ଇଶ୍ୱରଙ୍କ ପ୍ରେମ ଏବଂ ଶ୍ରଦ୍ଧାରେ ଭରି ଦେବା ଲାଗି ସମଗ୍ର ବିଶ୍ୱରେ କଲ୍ୟାଣକାରୀ ଏବଂ ମଙ୍ଗଳ ପରମ ସଚ୍ଚିଦାନନ୍ଦ ସ୍ବରୂପ ଦର୍ଶନ କରି ଆନନ୍ଦମୟ ଏବଂ ପ୍ରକାଶମୟ ସ୍ଥିତିର ଲାଭ ଶ୍ରୀ ବାବା ଅନନ୍ତ ଲୋକଙ୍କୁ ଅର୍ପଣ କରି ସନ୍ଥର କାର୍ଯ୍ୟ ଶକ୍ତିର ପ୍ରମାଣ ଦେଇଛନ୍ତି । ଏଥି ସହିତ ଭକ୍ତିମାର୍ଗକୁ ପୁର୍ନଜୀବନ ଦେଇଛନ୍ତି । ତାଙ୍କର ଦର୍ଶନ ଲାଭ କରିବା ସହିତ ତାଙ୍କ ସହ ସଂପର୍କରେ ଆସିଥିବା ଲୋକ ଧନ୍ୟ ହୋଇଛନ୍ତି । ସେଇ ଭକ୍ତମାନଙ୍କ ଜୀବନକୁ ବାବା ରହସ୍ୟମୟ ଏବଂ ଆନନ୍ଦମୟ କରିପାରିଛନ୍ତି ।

ବ୍ରାହ୍ମଣସାଇଲୋ, କଟକ

ତୁମେ ସାହା ଥିଲେ କାହାକୁ ବା ଡର

                                                      ବୁବୁଲି କିଶୋର ସ୍ବାଇଁ                                ସାଇବାବାଙ୍କ ଜୀବନୀ ଲେଖିଥିବା ନରସିଂହ ସ୍ବାମୀଜୀଙ୍କ ମତରେ ସାଇବାବା ଗୋଟିଏ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେହି ବ୍ରାହ୍ମଣ ଦମ୍ପତି ସାଇବାବାଙ୍କୁ ଜଣେ ମୁସଲମାନ୍ ଫକୀରଙ୍କ ହାତରେ ଟେକି ଦେଇଥିଲେ । ସାଇବାବା ବାଲ୍ୟାବସ୍ଥାରେ ସେହି ଫକୀରଙ୍କ ସହିତ ଗୋଟିଏ ମସଜିଦ୍ ରେ ରହୁଥିଲେ । “ସାଇ ସତ୍ ଚରିତ ” ଅନୁସାରେ ସାଇବାବା ପ୍ରାୟ ଷୋହଳ ବର୍ଷ ବୟସରେ,୧୮୫୪ମସିହାରେ ଶିରିଡିକୁ ଆସିଥିଲେ । ସେଠାରେ ତିନି ବର୍ଷ ରହି ପୁଣି ବର୍ଷକ ପାଇଁ କେଉଁ ଆଡେ  ଅଦୃଶ୍ୟ ହୋଇଯାଇଥିଲେ ।  ଏହା ପରେ ୧୯୫୮ମସିହାରେ ସେ ସବୁଦିନ ପାଇଁ ଶିରିଡି ଫେରି ଆସିଥିଲେ । ଏହି ମତ ଅନୁଯାୟୀ ଶିରିଡି ସାଇବାବାଙ୍କ ଜନ୍ମ ପ୍ରାୟ ୧୮୩୮ ମସିହା ବୋଲି ବିଶ୍ୱାସ କରାଯାଏ । ଶିରିଡି ଆସି ସେଠାରେ ଗୋଟିଏ ନିମ୍ବଗଛ ମୂଳରେ ସେ ଧ୍ୟାନ କରୁଥିଲେ । ସେହି ସମୟରେ ସେ ଦିନରେ କାହା ସହ ମିଶୁ ନ ଥିଲେ କି ରାତିରେ କାହାକୁ ଡରି ସେଠାରୁ ଚାଲି ଯାଉନଥିଲେ । ଗ୍ରାମବାସୀମାନେ ଏତେ କମ୍ ବୟସ ବାଳକର ଏଭଳି ତପ ଆଚରଣ ଦେଖି ବିସ୍ମିତ ହେଉଥିଲେ ।
       ବାବା ଶ୍ରୀ ସାଇଙ୍କର ଆରାଧନା ପୀଠର ନାମ ‘ଦ୍ୱାରକାମୟୀ’ । ମସଜିଦ୍  ନାମକରଣରେ ହିନ୍ଦୁଙ୍କ ପବିତ୍ର ଧାମ ଦ୍ୱାରକା ଶବ୍ଦକୁ ବ୍ୟବହାର କରାଯାଇଛି । ଏପରି ନାମକରଣର ଅର୍ଥ କେହି ହିନ୍ଦୁ ସାଇବାବାଙ୍କୁ ହିନ୍ଦୁ ବିଚାରିଲେ ବାବା ତାଙ୍କୁ “କୋରାନ୍” ଶୁଣାନ୍ତି । କେହି ମୁସଲମାନ ତାଙ୍କୁ ମୁସଲମାନ ମନେକଲେ ବାବା ତାଙ୍କୁ ଭଗବତ୍ ଗୀତା ଶ୍ଲୋକ ଶୁଣାନ୍ତି । ହିନ୍ଦୁ ମାନଙ୍କର ପବିତ୍ର ତୀର୍ଥସ୍ଥଳୀ ଦ୍ୱାରିକା,ମୁସଲମାନ ମାନଙ୍କର ପବିତ୍ର ପ୍ରାର୍ଥନା ସ୍ଥଳୀ ‘ମସଜିଦ୍’ ଉଭୟ ନାମକୁ ଏକତ୍ର କରି ବାବା ତାଙ୍କ ଆରଧନା ପୀଠ ସ୍ଥଳୀର ନାମ ଦେଇଥିଲେ “ଦ୍ୱାରକାମୟୀ” । ସାଇବାବା ଭକ୍ତଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖାଦିଅନ୍ତି । ବାବାଙ୍କୁ ଯେ ଯେଉଁ  ରୂପରେ ଆରାଧନା କଲା ଯେଉଁ ନାମରେ ସମ୍ବୋଧନ କଲା ବାବା ତାକୁ ସେଇ ରୂପ ନାମରେ ଦେଖା ଦେଇଥାନ୍ତି ।
ବ୍ରାହ୍ମଣ ସାଇଲୋ କଟକ

21 October 2017

ସାହା ହୁଅ ସାଇ

                                                                             ପ୍ରମୋଦ ବେହେରା
ଜଗତ କଲ୍ୟାଣ ନିମନ୍ତେ,                                                      
               ନିଜକୁ କରିଅଛ ବାବା ତୁମେ ଦାନ ।                          
ଭକତ ମାନଙ୍କୁ ନିଜର କରି,
                 ଉଧାରିଛ ବାବା ତାଙ୍କ ଜୀବନ । ।


             ବାବା ବାବା ବୋଲି ଭକ୍ତ ଡାକୁ ଥାଏ,

             ବାବା ତୁମେ ଭକ୍ତ ଡାକ ଶୁଣି  ଥାଅ ।
ଭରି ଦିଅ ପ୍ରଭୁ ଅମୃତ ବରଷା,ଭରି ଯାଉ ପ୍ରଭୁ ମନର ତୃଷା । ।
ତୁମ ନାମ ଗାଇ ବୁଲୁଥାଉ ସେହି,ନ ଲାଗୁ ତାକୁ ଜୀବନର ତୃଷା ।

ବାବା ବାବା ବୋଲି ଭକ୍ତ ଡାକୁଥାଏ,ବାବା ଦିଅ ଦିଗ୍ ଦର୍ଶନ ।
ଅମା ଅନ୍ଧାର ଜୀବନରେ ତାର,ଉଇଁ ଆସୁ ପୂର୍ଣ୍ଣିମାର ଜହ୍ନ । ।

ମୁଁ  ତ ପାପୀଟିଏ ଡାକୁଛି ତୁମକୁ,ମୋତେ ବାବା ହୁଅ ସାହା ।
ମିଛ ଦୁନିଆରେ ସତ୍ କାମ କରି,ମୋ ଜୀବନ ହେଉ ସ୍ବାହା । ।
                                                              ସା-ଭୋଦଳ,ପୋ-ପାଟସୁନ୍ଦରପୁର,କଟକ

ଶ୍ରୀ ସାଇସାର



  • ଯେପରି ବସ୍ତୁକୁ କୀଟ କାଟି ନଷ୍ଟ କରିଦିଏ, ସେହିପରି ଈର୍ଷା ମଧ୍ୟ ମନୁଷ୍ୟକୁ ନଷ୍ଟ ଭ୍ରଷ୍ଟ କରିଦିଏ ।
  • କ୍ରୋଧ ମନୁଷ୍ୟର ମୂର୍ଖତାରୁ ଆରମ୍ଭ ହୋଇଥାଏ ଏବଂ ପଶ୍ଚାତାପ ଦ୍ୱାରା ତାହାର ବିନାଶ ଘଟେ ।
  • ନମ୍ର ଗୁଣ ଦ୍ୱାରା ଦେବତା ମଧ୍ୟ ମନୁଷ୍ୟର ବଶବର୍ତୀ ହୋଇଯାଆନ୍ତି ।
  • ସମ୍ପତି ଯୋଗୁ ମିତ୍ରତା ବୃଦ୍ଧିପାଏ,ମାତ୍ର ବିପଦ ମିତ୍ରମାନଙ୍କ ପରୀକ୍ଷା ନେଇଥାଏ ।
  • ଥରେ ମୁହଁରୁ କଥା ବାହାରି ଗଲେ ତାହା ଫେରିଆସେ ନାହିଁ,ଏହି କାରଣରୁ ବୁଝି ବିଚାରି କଥା କହିବା ଉଚିତ୍ ।
  • ତରବାରୀର ଆଘାତ ଅପେକ୍ଷା ଜିହ୍ୱା ଦ୍ୱାରା ସୃଷ୍ଟି ବାକ୍ୟ ବାଣର ଆଘାତ ଅଧିକ ପୀଡା ଦାୟକ ।
  • ଧୂମପଟଳ ଉଡିଗଲାପରି ଧୈର୍ଯ୍ୟ ସମ୍ମୁଖରେ ଅତି ଭୟଙ୍କର ବିପଦର ଅବସାନ  ଘଟେ ।
  • ମନୁଷ୍ୟର ତିନିଗୋଟି ପ୍ରକୃତ ବନ୍ଧୁ ହେଉଛନ୍ତି ବୃଦ୍ଧା ପତ୍ନୀ ,ନିଜପାଳିତ ପୁରୁଣା କୁକୁର ଓ ନିଜ ପାଖରେ ଥିବା ଧନ ।
  • ମନୁଷ୍ୟର ତିନିଗୋଟି ସଦ୍ଗୁଣ ହେଉଛି- ସତ୍ଆଶା,ବିଶ୍ୱାସ ଓ ଦାନ ।
  • ପାରିବାରିକ  ଐକ୍ୟ ହିଁ ହେଉଛି ସ୍ବର୍ଗ ତୁଲ୍ୟ ।
  • ମନୁଷ୍ୟର ମହାନତା ତାର ବେଶଭୂଷାରୁ ଜଣାଯାଏ ନାହିଁ,ବରଂ ତାର ଆଚରଣରୁ ହିଁ ଜଣାଯାଇଥାଏ ।
  • ଅନ୍ୟର ହିତସାଧନ ନିମିତ ନିଜର ସୁଖକୁ ଜଳାଞଳି ଦେବା ହିଁ ପ୍ରକୃତ ଓ ମହାନ୍ ସେବା ।
  • ଅତୀତରୁ ପ୍ରେରଣା ଲାଭପୂର୍ବକ ବର୍ତମାନ ହିଁ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଉଚିତ ।
  • ତୁମେ ଯେତେବେଳେ କୌଣସି ବ୍ୟକ୍ତିର ସେବା କରୁଛ,ସେତେବେଳେ ତାହାର ତୃଟି ନିରୀକ୍ଷଣ ପୂର୍ବକ ତାହାକୁ ଘୃଣା କରିବା ଉଚିତ ନୁହେଁ ।
  • ପରମାତ୍ମା ମନୁଷ୍ୟ ରୂପରେ ସଦା ଆମ ସମ୍ମୁଖରେ ରହିଛନ୍ତି,ତାହାଙ୍କର ସେବା କର ।
  • ଆଖି ନଥିବା ଲୋକ ପକୃତ ଅନ୍ଧ ନୁହେଁ, ଯେଉଁ ବ୍ୟକ୍ତି ନିଜର ଦୋଷ ଗୁଡିକୁ ଘୋଡାଇ ରଖେ ସେହି ବ୍ୟକ୍ତି ହିଁ ପ୍ରକୃତ ଅନ୍ଧ ।

20 October 2017

ମାଗୁଛି ଏତିକି-ସାଇ ଦର୍ଶନ

ବାବାଜୀ ଭୋଇ
ଭଗବାନ କିଏ ଯୁକ୍ତି ବାଢିଲେ ,
ଦେଖାଇ ପାରିବ କିଏ ?
ବିଶ୍ୱାସ ମୂଳେ ପଥର ଦେବତା,
ଦେବତା ପଥର ହୁଏ ।
ଭଗବାନ ବୋଲି  ଭକତ ଡାକିଲେ ,
ସେ ବୁଝେ ଭକତ ମନ ,
କାହୁଁବା ଜାଣିବି, ଭଗବାନ କିଏ ?
ଯୁକ୍ତି ବାଢେ ଯେ ଜନ  ?
ଡାକିବାରେ ନାହିଁ ସ୍ଥାନ, କାଳ, ପାତ୍ର
ଯେଉଁଠି ଥାଅ ଯେମିତି ,
  ଭକ୍ତର ବଂଧୁ ଏକା କୃପାସିନ୍ଧୁ ବଂଧୁ ଏକା
ଭକ୍ତର ବଂଧା ନିତି ।
 କାମନା ଲାଳସା କୋ୍ରଧ ଅହଂକାର
ମନୁ ସବୁ ପ୍ରତ୍ୟାହାର କରି ,
 ଏକାଗ୍ର ଚିତ୍ରରେ ଯେ ଡାକେ ପ୍ରଭୁଙ୍କୁ ,
ସେ ପାରେ ତାହାଙ୍କୁ ଧରି ।
 ନ କରାତ୍ମକ ଚିନ୍ତା ଧାରା ଯେତେ
ମନେ ବାଂଧିଅଛି ବସା ,
ଦୂର କରି ମାଗ, ସର୍ବ ପ୍ରାଣୀଙ୍କର
ଖଣ୍ଡିବାର ପାଇଁ ଦୁର୍ଦଶା ।
ସେହି ସୃଷ୍ଟି କର୍ତା ,ସେ ହି ନିୟନ୍ତା
ସର୍ବତ୍ର ସେ ବିଦ୍ୟମାନ ,
ମୋ ପାଇଁ ମାଗୁଛି, ବିଶ୍ୱର ମଂଗଳ
କର ଆହେ ଭଗବାନ ।
ସା-ଶିଶୁଆ , 
ପୋ-ଓଲଟପୁର,
କଟକ
ସୌଜନ୍ୟ :-“ସାଇସନ୍ଦେଶ

କୃପାଳୁ ନାରାୟଣ

ସୋନାଲି ଦାସ
ବାବା ତାଙ୍କର ଭକ୍ତମାନଙ୍କୁ ପ୍ରତି ମୁହୂର୍ତରେ ସହାୟତା କରିଥାନ୍ତି । ଏହାର ଅନେକ ଦୃଷ୍ଟାନ୍ତ ଆପଣମାନେ ପଢି ଆସୁଛନ୍ତି । ମୁଁ ମୋର ଅଗେଂନିଭା କଥା କହୁଛି । ଶିରିଡିର ପିଜୁଳି ଖୁବ୍ ରସାଳ ମୋତେ ତାହା ଖାଇବାକୁ ଭଲ ଲାଗେ । ଥରେ ମୋର ନଣନ୍ଦ ଶିରିଡି ଯାଇଥିଲେ । ତାଙ୍କୁ ସେକଥା ଜଣାଇ ପିଜୁଳି ଆଣିବା ପାଇଁ ଫୋନ୍ କଲି । କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଫୋନ୍ ଲାଗିଲା ନାହିଁ । ମନ ବୁଝାଇ ଚୁପ୍ ରହିଲି । ଭାବିଲି ଆଉଥରେ ଶିରିଡି ଗଲେ ପିଜୁଳି ଖାଇବି । ଚାରି ଦିନ ପରେ ନଣନ୍ଦ ଶିରିଡିରୁ ଘରକୁ ଫେରିଲେ  । ସେ ମୋ ପାଇଁ ପିଜୁଳି ଆଣିଥିଲେ ।
                     ଆଉ ଏକ ଅନୁଭୂତି କହୁଛି । ଥରେ ବଡ ଝିଅ ସୋମାକୁ ଜ୍ୱର ହେଲା । ୧୦୩/୧୦୪ ଡିଗ୍ରୀ ଜ୍ୱର କ’ଣ କରିବି । ଡାକ୍ତର ପାଖକୁ ନେଇ ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇସାରିଥାଏ ହେଲେ ଜ୍ୱର କମୁନଥାଏ । ଭାବିଲି ଆଉ ଡାକ୍ତରଙ୍କ ପାଖକୁ ଯିବିନାହିଁ । ଘରେ ବାବା ବଡ ଡାକ୍ତର ଅଛନ୍ତି ସେ ଝିଅକୁ ନିଶ୍ଚୟ ଭଲ କରିବେ । ଏହି ବିଶ୍ୱାସ ରଖି ଉଦିକୁ ପାଣିରେ ମିଶାଇ ପିଇବାକୁ ଦେଲି ଓ ତା ମଥାରେ ଓଁ ସାଇରାମ ଲେଖିଦେଲି । ତାପରେ ମୁଁ ଯୋଗ ଶିବିରକୁ ଚାଲିଗଲି ମନଟା କିନ୍ତୁ ଝିଅ ପାଖରେ ଥାଏ । ତେବେ ବାବାଙ୍କ ଉପରେ ଭରସା ଥିଲା । ଫେରିବାପରେ ଦେଖିଲି ଝିଅ ଉଠି ଖେଳୁଛି । ଜ୍ୱର ନାହିଁ । ସିଧା ଠାକୁରଙ୍କ ଘରକୁ ଯାଇ ବାବାଙ୍କୁ କୃତଜ୍ଞତା ଜଣାଇଲି । ଏହିପରି ସେ କୃପାଳୁ ନାରାୟଣ । ତାଙ୍କୁ କୋଟି କୋଟି ପ୍ରଣାମ ।
                                                                                                           ସାମନ୍ତସାହୁ, ନ୍ୟୁ କଲୋନୀ ।
                                                                       ସୌଜନ୍ୟ :-“ସାଇ ନିର୍ମାଲ୍ୟ”

ମରିସସର ମୂକ ପିଲା କଥା କହିଲା

         କେବଳ ଯେ ବାବାଙ୍କର ଭକ୍ତମାନେ ଉପକୃତ ହେଉଥିଲେ ତାହା ନୁହେଁ,ଯିଏ ଶିରିଡି ଆସୁଥିଲେ ଏବଂ ବାବାଙ୍କ ନିକଟରେ ନିଜକୁ ସମର୍ପଣ କରୁଥିଲେ,ସେମାନେ ସେହିପରି ଅନୁଭବ ଲାଭ କରୁଥିଲେ । ଏଭଳି ଅସଂଖ୍ୟ ଘଟଣା ଥିଲେ ମଧ୍ୟ ଗୋଟିଏ ଘଟଣା ମୁଁ ଏଠାରେ ଉଲ୍ଲେଖ କରିବାକୁ ସମୀଚିନ ମନେ କରୁଛି, କାରଣ ଏହି ଘଟଣାଟି ସାଇଲୀଳାପତ୍ରିକାରେ ଏହା ପ୍ରକାଶ ପାଇଥିଲା। ମରିସସ୍ ମ୍ୟୁନିସପାଲ କର୍ପୋରେସନ ମୁଖ୍ୟ ଡ୍ରାଇଭରଙ୍କ ପୁଅ ଜାତ ହେଲା ସମୟରେ ମୂକ ଥିଲା ଏବଂ କୌଣସି ଔଷଧ  ତାକୁ ଭଲ କରିପାରିଲା ନାହିଁ ।
                                ସେଠାରେ ବାସ କରୁଥିବା କିଛି ଭାରତୀୟଙ୍କଠାରୁ ଭାରତର ଧର୍ମପୀଠ ଗୁଡିକର ମହିମା  ବିଷୟରେ ଶୁଣି ସେ ପୁଅ କୁ ନେଇ ଭାରତ ଆସିଲେ । ସେତେବେଳେ ପୁଅର ବୟସ ୧୪ବର୍ଷ । ସେମାନେ ଚାରିଧାମ ଦର୍ଶନ କରିବାକୁ ଇଚ୍ଛା କରି ପୁରୀ,ଦ୍ୱାରକା,ବଦ୍ରିନାଥ ଓ ରାମେଶ୍ୱର ଗଲେ । କିନ୍ତୁ ସବୁ ତୀର୍ଥସ୍ଥାନ ବୁଲିସାରିବା ପରେ ମଧ୍ୟ ପୁତ୍ରର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ । ମନଦୁଃଖରେ ସେ ମୁମ୍ବଇ ପହଚିଂଲେ ଏବଂ ମରିସସ୍ ଫେରିଯିବାକୁ ଯାଉଥିଲେ । ଏହିସମୟରେ କେହିଜଣେ ତାଙ୍କୁ କହିଲେ ସେ ତାଙ୍କ ପୁଅକୁ ନେଇ ଶିରିଡି ଯାଉନାହାନ୍ତି । ଭଗବାନ ଶ୍ରୀ ସାଇଙ୍କ କୃପାରୁ ଅନେକ ଅଲୌକିକତା ଘଟୁଛି । ଶେଷ ଆଶା ସ୍ବରୂପ ସେମାନେ ଶିରିଡି ପଚିଂଲେ ଏବଂ ସମାଧି ମନ୍ଦିରରେ ପ୍ରବେଶ କରି ବାବାଙ୍କର ଦର୍ଶନ କଲେ । ବାବାଙ୍କ ପାଦୁକା ନିକଟରେ ଯେମିତି ପହଚିଂଛନ୍ତି ଏକ ଅଲୌକିକ ଘଟଣା ଘଟିଲା । ତାଙ୍କର ପୁତ୍ର ପାଦୁକା ସ୍ପର୍ଶ କରିବା ପରେ ତଳେ ପଡିଗଲା ଏବଂ ମାଆ,ମାଆ ବୋଲି ଡାକିଲା । ତାପରେ  ଥରି ଥରି ଉଠିଲା ଏବଂ ଛୋଟ ପିଲା ପରି କଥା କହିଲା । ପରେ ଅବଶ୍ୟ ଉପଯୁକ୍ତ ଶିକ୍ଷା ଏବଂ ତାଲିମ ଦ୍ୱାରା ସେ କହିବାକୁ ଲାଗିଲା । ଘରେ ଖୁସିର ଲହରୀ ଖେଳିଗଲା  । ସେହି ବ୍ୟକ୍ତି ଅବସର ଗ୍ରହଣ କରିବା ପରେ  ବାବାଙ୍କର ପ୍ରଥମ ମନ୍ଦିର ମରିସସରେ ବନାଇଛନ୍ତି । ଅନେକ ଲୋକ ସେଠାକୁ ଦର୍ଶନ ପାଇଁ ଯାଉଛନ୍ତି । ଏହିକଥା ଶ୍ରୀ ସୁରେଶ ପଣ୍ଡା ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ ଶିରିଡି ସାଇବାବା:ଦ ପରଫେକ୍ଟ ମାଷ୍ଟରରେ ଉଲ୍ଲେଖ କରିଛନ୍ତି ।
                                                                        ସୌଜନ୍ୟ :-“ସାଇ ନିର୍ମାଲ୍ୟ”

କଟକରେ ସେମିତି ଏକ ଘଟଣା

        ଏହି ଘଟଣାର ଅନେକ ବର୍ଷ ପରେ କଟକରେ ଏଭଳି ଏକ ଘଟଣା ଘଟିଥିଲା । ଡଃ ପୂର୍ଣ୍ଣଚନ୍ଦ୍ର ମିଶ୍ର ବାବାଙ୍କର ଜଣେ ଭକ୍ତ । ଯଦିଓ ତାଙ୍କ ପରିବାର କଟକରେ ରହୁଥିଲେ,ସେତେବେଳେ ତାଙ୍କର କୋରାପୁଟ ହସ୍ପିଟାଲକୁ ବଦଳି ହୋଇଯାଇଥିଲା । ୧୯୯୮ମସିହାର କଥା । ଦିନେ ମଧ୍ୟାହ୍ନ ସମୟରେ ସାମାନ୍ୟ ବିଶ୍ରାମ କରୁଥିବା ବେଳେ ସେ ଏକ ବିଚିତ୍ର ସ୍ବପ୍ନ ଦେଖିଲେ । ବାବା ତାଙ୍କର ଝିଅକୁ ଗୋଟିଏ ହାତରେ ଟେକିଧରି କୋଳରେ ବସାଇଦେଉଛନ୍ତି । ସ୍ବପ୍ନର ଅର୍ଥ ସେ ବୁଝିପାରିଲେ ନାହିଁ । କିଛି ସମୟ ପରେ ପତ୍ନୀକୁ ଟେଲିଫୋନ କଲେ । ପତ୍ନୀଙ୍କଠାରୁ ଯେଉଁ ସମ୍ବାଦ ଶୁଣିଲେ ସେ ତଟସ୍ଥ ପାଲଟିଗଲେ । ତାଙ୍କର ଝିଅ ଅଲୌକିକ ଭାବେ ଗୋଟିଏ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି । ଝିଅ ରାସ୍ଥା ପାର ହେଉଥିବାବେଳେ ଦ୍ରୁତଗତିରେ ଆସିଥିବା ଏକ କାର୍ ତା’ ଉପରେ ମାଡିଯାଇଥିଲା । ଗାଡିଟି ଏତେ ଶକ୍ତ ଧକ୍କା ଦେଇଥିଲା ଯେ ସେ ଝିଅ ଖଣ୍ଡେ ବାଟକୁ ଛିଟିକି ପଡିଯାଇଥିଲା । ତେବେ ତା’ର କୌଣସି କ୍ଷତି ହୋଇନଥିଲା । ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ଯେଉଁସମୟରେ ଦୁର୍ଘଟଣା କଟକରେ ଘଟିଥିଲା,ଠିକ୍ ସେହି ସମୟରେ  କୋରାପୁଟରେ ସେ ସ୍ବପ୍ନ ଦେଖିଥିଲେ । ଏହାପରେ ସେ ନିଶ୍ଚିତ ହୋଇଗଲେ ଯେ କରୁଣାମୟ ବାବା କିପରି ମୃତ୍ୟୁମୁଖରୁ ତାଙ୍କ ଝିଅକୁ ରକ୍ଷା କଲେ ।
                                                                         ସୌଜନ୍ୟ :-“ସାଇ ନିର୍ମାଲ୍ୟ”

ଫଟୋ ଭିତରୁ ବୁଢାଲୋକ ଜଣ ଆସି ମତେ ଧରିପକାଇଲେ

                                       ମହାସମାଧି ପରେ ବାବାଙ୍କ ଶରୀରକୁ  ବୁଟୁୱାଡାକୁ ନିଆଗଲା ଏବଂ ଯେଉଁ ସ୍ଥାନଟି ମୂରଲୀଧରଙ୍କ ବିଗ୍ରହ ପାଇଁ ଉଦ୍ଦିଷ୍ଟ ଥିଲା, ବାବାଙ୍କ ଇଚ୍ଛାରେ ସେହି ସ୍ଥାନରେ ତାଙ୍କର ସମାଧି ଦିଆଗଲା । ଏବେ ସମାଧି ନିକଟରେ ବାବାଙ୍କର ଯେଉଁ ଶ୍ରୀ ବିଗ୍ରହ ରହିଛି,ତାହା ପ୍ରଥମେ ନ ଥିଲା । ସେଠାରେ ଏକ କଳାଧଳା ଫଟୋ ପୂଜା ପାଉଥିଲା । ସେହି ସମୟରେ ମାତ୍ରେ ନାମକ ଜଣେ ଭକ୍ତ ତାଙ୍କର ଅଢେଇବର୍ଷର ଶିଶୁ କନ୍ୟା ସହ ଶିରିଡି ବୁଲି ଆସିଥିଲେ । ବୁଟିୱାଡର ଆହୁରି କିଛି ଅଂଶର ସେତେବେଳେ ନିର୍ମାଣ ଚାଲିଥାଏ । ଛୋଟ ଝିଅଟି କିଛି ପିଲାଙ୍କ ସହ ମିଶିଗଲା ଏବଂ ୱାଡାର ପ୍ରଥମ ମହଲାରେ ଖେଳୁଥିଲା । ହଠାତ୍ ପିଲାଟି ଭାରସାମ୍ୟ ହରାଇଦେଲା ଏବଂ ତଳକୁ ଖସିପଡିଲା । ଏହାଦେଖି ଉପସ୍ଥିତ ଲୋକମାନେ ଦୌଡିଆସିଲେ । କିନ୍ତୁ ଝିଅଟି ଆରାମରେ  ତଳୁ ଉଠିପଡିଲା, ଯେମିତି କିଛି ହୋଇ ନାହିଁ । ତା’ର କେଉଁଠି କିଛି ଆଘାତ ଲାଗିଛି କି ପଚାରିବାରୁ ଝିଅଟି କହିଲା ‘ଫଟୋ ଭିତରୁ ସେହି ବୁଢାଲୋକ ଜଣକ ଆସି ମତେ ଧରିପକାଇଲେ ।’  ଅଢେଇବର୍ଷର ଶିଶୁକନ୍ୟାର ଏହି କଥାଟି କ’ଣ ମିଥ୍ୟା ହୋଇଥିବ ?

ପ୍ରାଚୀରକୁ ଭାଙ୍ଗିଦିଅ

       ଥରେ କିଛି ଭକ୍ତ ଶିରିଡିରେ ଆସିଥିଲେ । ସେମାନେ ବାବାଙ୍କ ଦର୍ଶନ କଲେ ଏବଂ ତିନିଦିନ ପର୍ଯ୍ୟନ୍ତ ସେଠାରେ ରହିଲେ । ସେମାନେ ହୃଦୟ ସହକାରେ ଚାହୁଁଥିଲେ ଯେ ବାବାଙ୍କର ଫଟୋ ଉଠାଇବେ,ଏଣୁ ସାଙ୍ଗରେ କ୍ୟାମେରା ନେଇ ଆସିଥିଲେ । ସେମାନେ ଜାଣିଥିଲେ ଯେ ବାବା ତାଙ୍କର ଫଟୋ ଉଠାଇବାକୁ କାହାକୁ ଦିଅନ୍ତି ନାହିଁ ଏଣୁ ସାମାନେ ବାବାଙ୍କ ଅନୁମତି ପାଇଁ ଶ୍ୟାମାଙ୍କୁ ପ୍ରାର୍ଥନା କଲେ ଏବଂ ଶ୍ୟାମା ସେମାନଙ୍କ କଥାରେ ରାଜି ହେଲେ । ଶ୍ୟାମା ଏବଂ ସେ ସମସ୍ତେ ସାଠେୱାଡା ନିକଟରେ ପ୍ରତୀକ୍ଷା କରି ରହିଲେ । ବାବା ଲେଣ୍ଡିବାଗ ଯାଇଥିଲେ । ଯେତେବେଳେ ଫେରିଲେ ଶ୍ୟାମା ତାଙ୍କୁ  କହିଲେ ‘ଦେବା’, ଏହି ଲୋକମାନେ ଆପଣଙ୍କର ଫଟୋ ଉଠାଇବାକୁ ଚାହୁଁଚନ୍ତି । ତେଣୁ ସେମାନେ ପ୍ରସ୍ତୁତ ହେବା ଯାଏଁ ଆପଣ ଦୟାକରି କିଛିକ୍ଷଣ ଛିଡା ହୋଇଯାଆନ୍ତୁ । ବାବା କହିଲେ ‘ତାଙ୍କୁ କୁହ କି ସେମାନେ ଫଟୋ ଉଠାନ୍ତୁ ନାହିଁ’ । ଯଦି ସେମାନେ ଆମ ଭିତରେ ଥିବା ପ୍ରାଚୀରକୁ ଭାଙ୍ଗିଦେବେ ତାହେଲେ ତାହା ଯଥେଷ୍ଟ । ବାବାଙ୍କ ଏହି ଉକ୍ତିର ଅର୍ଥ ହେଉଛି ଫଟୋ ତ କେବଳ ମାନବୀୟ ରୂପର ସାଢେ ତିନିହାତର ଚିତ୍ର; କିନ୍ତୁ ଭକ୍ତ ଏହାଠାରୁ ଆଗକୁ ଦେଖିବା ଉଚିତ । ଅର୍ଥାତ ଭଗବାନଙ୍କର ନିର୍ଗୁଣ ରୂପକୁ ହୃଦୟ ସିଂହାସନରେ ସ୍ଥାପନ କରିବା ଉଚିତ୍ । 

କେଉଟ ରୂପରେ କିରାଣୀଙ୍କୁ ସହାୟତା

                 ଥରେ ଜଣେ କିରାଣୀ ହିସାବପତ୍ର କାମରେ ଗୁରୁତର ତ୍ରୁଟିକଲେ,ଫଳରେ ଚାକିରିରୁ ତଡା ଖାଇବା ସୁନିଶ୍ଚିତ ଥିଲା । ଏକଥା ଜାଣିବା ପରେ ସେ ଭୟଭୀତ ହୋଇପଡିଲେ ଏବଂ ଆତ୍ମହତ୍ୟା କରିବାକୁ ସ୍ଥିର କଲେ । ତାଙ୍କର ମନ ସବୁବେଳେ ବିଚଳିତ ଏବଂ ଅସ୍ଥିର ରହୁଥିଲା । ଦିନେ ସେ ଜୀବନକୁ ଶେଷ କରିଦେବେ ଭାବି ଘରୁ ବାହାରିଗଲେ । ଛିଣ୍ଡାଲୁଗା ପିନ୍ଧିଲେ ଏବଂ ସନ୍ତାନକୁ ଚୁମ୍ବନ ଦେଇ ବାହାରିଗଲେ । ପତ୍ନୀ ସ୍ବାମୀଙ୍କର ମାନସିକ ଅବସ୍ଥା ଜାଣିଥିଲେ । ତେଣୁ ସେ ତାଙ୍କୁ କିଛି କହିଲେନାହିଁ । ଯିବା ବେଳେ ସ୍ବାମୀଙ୍କୁ ଡାକି କିଛି ଉଦି ତାଙ୍କ କପାଳରେ ଲଗାଇଦେଲେ ଏବଂ ଯିବା ପରେ ନିଜେ ବାବାଙ୍କ ଫଟୋ ସମ୍ମୁଖରେ ଧ୍ୟାନାବସ୍ଥାରେ ବସିପଡିଲେ । ବାବାଙ୍କୁ ବ୍ୟାକୁଳ ହୋଇ ଡାକିଲେ ପତିଙ୍କର ଜୀବନରକ୍ଷା କରିବା ପାଇଁ । ସକାଳେ ସ୍ବାମୀ ଘରୁ ପଳାଇଥିଲେ ଓ ସଂନ୍ଧ୍ୟା ଯାଏଁ ଫେରିଲେନାହିଁ । ଗୋଟିଏ ପଙ୍କ ଭର୍ତି ପୋଖରୀ ଭିତରକୁ ସେ ଡେଇଁପଡିଥିଲେ । ଜଣେ କେଉଟ ତାଙ୍କୁ ସେଠାରୁ ଉଦ୍ଧାର କଲେ ଏବଂ ଘରକୁ ନଫେରିଲେ ପୁଲିସରେ  ଦେଇଦେବେ ବୋଲି ଧମକ ଦେଲେ । କିଛି ପଇସା ତାଙ୍କ ହାତରେ ଦେଲେ ଏବଂ ରାତି ୧୧ଟାରେ ଘରେ ଆଣି ଛାଡିଲେ । ତା’ ପର ମୁହୂର୍ତରେ କେଉଟ ଜଣକ ଅଦୃଶ୍ୟ ହୋଇଗଲେ । 


ନିଜେ ସ୍ତବ୍ଧ ପାଲଟିଗଲେ ଚିଟନିସ୍

       ଦିଲ୍ଲୀର ଜଣେ ବ୍ୟକ୍ତି ଶ୍ରୀ ଆର.ଏସ.ଚିଟନିସ୍ ଥରେ ଖରାବେଳେ ସପରିବାର ଶିରିଡିରେ ପହଁଚିଲେ । ଶୀଘ୍ର ଗାଧୋଇ ମନ୍ଦିର ଯିବାକୁ ଚାହୁଁଥିଲେ । କିନ୍ତୁ କଳରେ ପାଣି ଆସୁନଥିଲା । ସେ ବ୍ୟସ୍ତ ହୋଇଗଲେ । ଏହି ସମୟରେ ସଫାସୁତୁରା ପୋଷାକ ପରିହିତ ଜଣେ ବ୍ୟକ୍ତି,ଯିଏକି ମୁଣ୍ଡରେ ଖଣ୍ଡେକନା ବାନ୍ଧିଥିଲେ ତାଙ୍କ ନିକଟକୁ ଆସି ଗୋଟିଏ ବାଥ୍ ରୁମ୍ ଦେଖାଇଦେଲେ । ସେଠାରେ ପାଣି ଆସୁଥିଲା । ଚିଟନିସ୍ ଆରାମରେ ଗାଧୋଇଲେ ଏବଂ ଦର୍ଶନ ପାଇଁ ବାହାରିଗଲେ । କିନ୍ତୁ ସର୍ପିଳଗତିରେ ଲମ୍ବିଥିବା ଦର୍ଶନ ଧାଡିର ସବା ପଛରେ ତାଙ୍କୁ ଛିଡା ହେବାକୁ ପଡିଲା । ଏହି ସମୟରେ ସେହି ଅଜ୍ଞାତ ବ୍ୟକ୍ତିଜଣକ ସେଠାରେ ପହଁଚିଗଲେ ଏବଂ ତାଙ୍କୁ ବାବାଙ୍କ ନିକଟକୁ ନେଇଗଲେ । ଅନ୍ୟ ଲୋକମାନେ ଆପତି କରିବେ ଏବଂ କାଳେ ଖରାପ ଭାବିବେ ଭାବି ଚିଟନିସ୍ ପଛଘୁଂଚା ଦେଉଥାନ୍ତି । କିନ୍ତୁ କେହି ବି କିଛି କହିଲେ ନାହିଁ । ପୂଜା ପରେ ସେ ଯେତେବେଳେ ବାହାରକୁ ବାହାରିଆସିଲେ,ଉକ୍ତ ବ୍ୟକ୍ତିଜଣକୁ ଧନ୍ୟବାଦ ଦେବାକୁ ଚାହିଁଲାବେଳେ ସେ ଆଉ ନଥିଲେ । ତାପରେ ସେ ଯେତେବେଳେ ହୋଟେଲକୁ ଫେରିଲେ,ପରିବାରର ଅନ୍ୟ ସଦସ୍ୟମାନେ କୋଳାହଳ କରୁଥାନ୍ତି । କାରଣ ପାଣି ନଥିଲା,ଫଳରେ କେହି ଗାଧୋଇ ପାରିନଥିଲେ । ଚିଟନିସ ଯେଉଁ ରୁମ୍ରେ ଗାଧୋଇଥିଲେ,ସେମାନଙ୍କୁ ସେଠାକୁ ନେଇଯିବାକୁ ଚାହିଁଲେ; କିନ୍ତୁ ସେପରି କୌଣସି ରୁମ୍ ପାଇଲେ ନାହିଁ । ସେଠାରେ ଉପସ୍ଥିତ ସମସ୍ତେ କହିଲେ ଯେ ଦେଢଘଣ୍ଟା ହେଲା କୌଣସି ରୁମ୍ରେ ପାଣି ଆସୁନାହିଁ । ତାହେଲେ ଚିଟନିସ୍ଙ୍କ ପାଇଁ କିଏ ପାଣି ବ୍ୟବସ୍ଥା କଲା ?
                                                                                                             ସୌଜନ୍ୟ :-“ସାଇ ନିର୍ମାଲ୍ୟ”

ଶ୍ରୀ ସାଇ ଏକାଦଶ ବାଣୀ

  • ଶିରିଡି ମାଟିରେ ପାଦ ଦେବା ମାତ୍ରେ ଯେ କୌଣସି ବ୍ୟକ୍ତିର ସମସ୍ତ ଦୁଃଖ ଓ କ୍ଲେଶର ଅବସାନ ଘଟିବ ।
  • ମନୁଷ୍ୟ ଯେତେ ଦୀନହୀନ ହେଲେ ମଧ୍ୟ ମୋ ମସ୍ଜିଦର ପାହାଚକୁ ଉଠିବା ମାତ୍ରେକେ ତାହାର ମନ ଅଶେଷ ଆନନ୍ଦ ଓ ଉଲ୍ଲାସରେ ପରିପୂର୍ଣ୍ଣ ହୋଇଯିବ ।
  • ମୁଁ ଏହି ମରଶରୀର ତ୍ୟାଗ କରିବା ପରେ ସର୍ବଦା କ୍ରିୟାଶୀଳ ଓ ଶକ୍ତିମନ୍ତ ହୋଇ ରହିଥିବି ।
  • ମୋ ଭକ୍ତମାନେ,ଯେତେବେଳେ ଚାହିଁବେ,ସେତେବେଳେ ମୋ ସମାଧି କଥାକହିବ ଓ ସେମାନଙ୍କୁ ଆର୍ଶୀବାଦ ଦେବ ।
  • ସମାଧି ଭିତରୁ ହିଁ ମୁଁ କର୍ମକ୍ଷମ ଓ ଶକ୍ତିମନ୍ତ ହୋଇ ରହିବି ।
  • ମୋର ଅବଶିଷ୍ଟ ଉପଦେଶ ମୋ ସମାଧି ଭିତରୁ ପ୍ରକାଶ ପାଇବ ।
  • ଯେଉଁ ଲୋକମାନେ ମୋ ନିକଟକୁ ଆସି ନିଜକୁ ମୋ ଠାରେ ସମର୍ପଣ ପୂର୍ବକ ମୋର ଶରଣାପନ୍ନ ହୁଅନ୍ତି ମୁଁ ସେମାନଙ୍କୁ ସହାୟତା ପ୍ରଦାନ ଓ ପଥପ୍ରଦର୍ଶକ ନିମିତ ଚିରଜାଗ୍ରତ ରହିବି ।
  • ତୁମେ ମୋ ଆଡକୁ ଦୃଷ୍ଟିପାତ କଲେ ମୁଁ ତୁମ ପ୍ରତି ଦୃଷ୍ଟି ଦେବି ।
  • ତୁମେ ବିଶ୍ୱାସର ସହିତ ମୋ ଉପରେ ନିଜର ସମସ୍ତ ଭାର ଅର୍ପଣ କର,ମୁଁ ନିଶ୍ଚିତ ଭାବରେ ତାହା ବହନ କରିବି ।
  • ତୁମେ ଯେତେବେଳେ ମୋ ଉପଦେଶ ଓ ସାହାଯ୍ୟ ଆବଶ୍ୟକ କରିବ,ସେତେବେଳେ ତା ସଂଗେ ସଂଗେ ପାଇପାରିବ ।
  • ମୋ ଭକ୍ତମାନଙ୍କ ଗୃହରେ କୌଣସି ପ୍ରକାର ଅଭାବ ରହିବ ନାହିଁ ।


ପୂଜ୍ୟ ଗୁରୁଜୀଙ୍କ ଗୁରୁ ବାର୍ତା :ସଦ୍ ଗୁରୁଜୀ ଅଛନ୍ତି,ଭୟ କାହାକୁ ?


                           ଦୈନନ୍ଦିନ ଜୀବନରେ ଉପନୀତ ହେଉଥିବା ପ୍ରତିକୂଳ ପରିସ୍ଥିତିର ମୁକାବିଲା ତଥା ସାମ୍ନା କରିବା ପାଇଁ ମନୁଷ୍ୟ ଭିତରେ ଅସୀମ ସାମର୍ଥ୍ୟ ରହିଛି  । ସେ ଏପରି ପ୍ରାକୃତିକ ଉପାଦାନରେ ଗଢା ହୋଇଛି ଯେ ଇଚ୍ଛାକୃତ ଭାବେ ହେଉ କିମ୍ବା ପରିସ୍ଥିତି ଚକ୍ରରେ ବାଧ୍ୟ ହୋଇ ହେଉ ଯେ କୌଣସି  ପରିସ୍ଥିତିର ସମ୍ମୁଖୀନ ହୋଇପାରିବା ପାଇଁ ତା ଭିତରେ ଅନୁପମ ସୃଜନଶୀଳତା ଏବଂ ସାମର୍ଥ୍ୟ ରହିଛି । ପ୍ରସ୍ତର ଯୁଗରୁ ଆରମ୍ଭ କରି ଏହା ମଧ୍ୟରେ ହଜାର ହଜାର ବର୍ଷ ବିତି ଯାଇଛି,ଆମର ପୂର୍ବପୁରୁଷମାନେ କେତେ କେତେ ପ୍ରାକୃତିକ ବିପଦ ବନ୍ୟା,ଭୂମିକମ୍ପ,ଗ୍ରହମଣ୍ଡଳୀର ପ୍ରଭାବ,ବନାଗ୍ନି,ରୋଗ ବ୍ୟାଧିର ମୁକାବିଲା କରି ଆସିଛନ୍ତି । ସେ ସମୟରେ ସେମାନଙ୍କର ସୀମିତ ଜ୍ଞାନ ସତ୍ୱେ ସେମାନେ ଏସବୁ ପ୍ରତିକୂଳ ପରିସ୍ଥିତିକୁ ସାହାସର ସହ ସାମ୍ନା କରୁଛନ୍ତି । 
                            ସେତେବେଳେ ବିଜ୍ଞାନର ଏତେ ବିକାଶ ହୋଇନଥିଲା,ଫଳରେ ସେମାନଙ୍କର ଜୀବନ ସବୁବେଳେ ବିପଦ ସଂକୁଳ ରହୁଥିଲା । ଭୋକ(ଅନାହାର)ରେ ମରିବା ଏକ ନିୟମିତ ଘଟଣା ଥିଲା । ଭୟଙ୍କର ପଶୁ ଓ ଜନ୍ତୁମାନଙ୍କର ଭୟଥିଲା । ଫଳରେ ଲୋକମାନେ ଗୋଟେ ସ୍ଥାନରେ ନିର୍ଭୟରେ ରହି ନପାରି ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନ ଘୁରି ବୁଲୁଥିଲେ । ଏପରି ପରିସ୍ଥିତିରେ ଦିନଟିଏ ବଂଚିବା ଭଗବାନଙ୍କ ଆଶୀର୍ବାଦ ସଦୃଶ ମନେ  ହେଉଥିଲା  । ଆହୁରି ବିଡମ୍ବନା ର ବିଷୟ ହେଉଛି ଆଜି ଯେମିତି ଆମେ ଭଗବାନଙ୍କୁ ଅନୁଭବ କରୁଛେ, ସେତେବେଳେ ସେମାନଙ୍କ ଭିତରେ ସେହି ଜ୍ଞାନ ବା ଧାରଣା ନଥିଲା । ପରବର୍ତୀ ପିଢିର ମନୁଷ୍ୟ ବୁଦ୍ଧି ପ୍ରୟୋଗ କରି କାମ କଲା,ସେତେବେଳେ ନଥିଲା । ଯେତେବେଳେ ଯାହା ମନକୁ ଆସୁଥିଲା ସେମାନେ କରି ଯାଉଥିଲେ ।
                            ଏହା ସତ୍ୱେ ମନୁଷ୍ୟ ଜାତି ତିଷ୍ଠି ରହିଲା, ଯଦିଓ ଡାଇନାସୋର ଭଳି ପ୍ରାଣୀ ମଧ୍ୟ ଅବଲୁପ୍ତ ହୋଇଗଲା । ପ୍ରସ୍ତର ଯୁଗରୁ ଆରମ୍ଭ କରି ଆଜିର ବିଜ୍ଞାନ ଯୁଗ ପର୍ଯ୍ୟନ୍ତ ମନୁଷ୍ୟ ଜାତି ଏକ ସୁଦୀର୍ଘ ବିବର୍ତନ ପ୍ରକ୍ରିୟା ଦେଇ ଗତି କରି ଆସିଛି । ଏକ ଅଜ୍ଞାତ ପଥରେ ତାର ଏହି ସ୍ବଳ୍ପବାସ ଯାତ୍ରା କାଳରେ ସେ ନୂଆ ନୂଆ କୌଶଳ ଏବଂ ଦିଗ ଉନ୍ମୋଚନ କରିଛି । ମହାକାଶକୁ ଯାତ୍ରା,ଜେନିଟିକ୍ ଇଞିନିୟରିଂ,ସାମୁଦ୍ରିକ ଅଭିଯାନ,ଇଣ୍ଟରନେଟରେ ଯୋଗାଯୋଗ ବ୍ୟବସ୍ଥା, ଆଣବିକ ଶକ୍ତି, କିଛି ଜୀବଙ୍କର କ୍ଲୋନିଂ ଆଦି ଏସବୁ ଅଗ୍ରଗତିର ସୂଚନା । ସମ୍ପ୍ରତି ପୃଥିବୀର ପାଣିପାଗରେ ଅସାମଂଜସ୍ୟ ବା ଅସମତୁଲତାକୁ ଲକ୍ଷ୍ୟ କରାଯାଉଛି । ଏ ନେଇ ଗଣ ମାଧ୍ୟମ ଓ ଇଣ୍ଟରନେଟରେ ତଥ୍ୟ ପ୍ରକାଶ ପାଉଛି । ଏହାର ମୁକାବିଲା କରିବା ପାଇଁ ଆମର ବିଜ୍ଞାନ ଓ ବୈଷୟିକଜ୍ଞାନ  କୌଶଳ ପ୍ରସ୍ତୁତ ହେଉଛି । ତେବେ ପ୍ରଥମ ଥର ପୃଥିବୀ ଯେ ଏପରି ପରିବେଶର ସମ୍ମୁଖୀନ ହେଇଛି, ତାହା ନୁହେଁ; ଗତ ୪ଶହ କୋଟି ବର୍ଷ ଭିତରେ ପୃଥିବୀର ପାଣିପାଗ ଅନେକ ଥର ପରିବର୍ତନ ହୋଇଛି । ଯେମିତି କି ବରଫ ଯୁଗ ବା ଗ୍ଲାସିୟର ଯୁଗ କଥା ଆମେ ଜାଣୁ । ସେହିପରି ତାପମାନ ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ଏକ ନୂଆ କଥା ନୁହେଁ । ଯଦି ମନୁଷ୍ୟ ଜାତି ବିଜ୍ଞାନ ଓ ବୈଷୟିକ କୌଶଳର ବିନା କୌଣସି ଜ୍ଞାନ ସତ୍ୱେ ଏବଂ  ବୁଦ୍ଧି ପ୍ରୟୋଗ କରି ସେତେବେଳେ ତିଷ୍ଠି ରହିପାରିଲା, ତାହାଲେ ଆଜି ଏତେ ବୈଜ୍ଞାନିକ ସାଧନ ଏବଂ ସମ୍ବଳ ଥିବା ବେଳେ ମାନବ ଜାତି ଧ୍ୱଂସ ପାଇଯିବ ବୋଲି ଭାବିବା କାହିଁକି? ଆମର ପୁରାତନ ଭାରତ ସଭ୍ୟତାରେ ଜ୍ୟୋତିର୍ବିଦ୍ୟାରେ ଅନେକ ପାରଦର୍ଶୀ ସାଧକ ଥିଲେ । ସେମାନେ ଭବିଷ୍ୟବାଣୀ କରୁଥିଲେ । ବୈଦିକ ଯୁଗର ଋଷିମାନେ ଖଗୋଳ ବିଦ୍ୟାରେ ପାରଙ୍ଗମ ଥିଲେ । ଭାରତୀୟ ଜ୍ୟୋତି ବିଜ୍ଞାନଠାରୁ ଅଧିକ ଉନ୍ନତ ଏବଂ ବିଜ୍ଞାନସମ୍ମତ ମନେ କରାଯାଏ । ବୈଦିକ ଯୁଗର ସାଧକମାନେ ୧୫ଅଙ୍କ ବିଶିଷ୍ଟ କାଳର ନିରୂପଣ କରିଥିଲେ । ସେମାନଙ୍କ ଅନୁଯାୟୀ କଳ୍ପ,ମନ୍ୱନ୍ତର,ମହାଯୁଗ ଏବଂ ଯୁଗ ଇତ୍ୟାଦି । ହିନ୍ଦୁମାନଙ୍କର ସର୍ବପ୍ରାଚୀନ ଗ୍ରନ୍ଥ “ସୂର୍ଯ୍ୟ ସିଦ୍ଧାନ୍ତ” ଅନୁସାରେ କଳିଯୁଗ ଆରମ୍ଭ ହେଲା ଖ୍ରୀଷ୍ଟପୂର୍ବ ୩୧୦୨ ମସିହା ଫେବୃୟାରୀ ୧୪ ତାରିଖରେ । କଳିଯୁଗର ମୋଟ ଅବଧି ହେଉଛି ୪ ଲକ୍ଷ ୩୨ ହଜାର ବର୍ଷ । ଏବେ ଅର୍ଥାତ ୨୦୧୩ ବର୍ଷ ବେଳକୁ ଏହାର ୫୧୧୫ବର୍ଷ ଅତିକ୍ରାନ୍ତ ହୋଇଛି । 
          
           ଏ ପରିସ୍ଥିତିରେ ଏକ ନିର୍ଦ୍ଧିଷ୍ଟ ଦିନ ପୃଥିବୀ ଧ୍ୱଂସ ପାଇଯିବ ବୋଲି ଭବିଷ୍ୟବାଣୀ ଆଧାରିତ ଖବରମାନ ଆଶ୍ଚର୍ଯ୍ୟପ୍ରଦ । ମାୟାନ ସମ୍ପ୍ରଦାୟ ନାମରେ କିଛି ବ୍ୟକ୍ତି ଏବଂ ଗୋଷ୍ଠୀ ନିଜକୁ ଭଗବାନଙ୍କ ଦୂତ ରୁପେ ପରିଚୟ ଦେଇ ଶହ ଶହ ବର୍ଷ ତଳେ ଏପରି ଭବିଷ୍ୟବାଣୀ କରିଛନ୍ତି । ସେମାନଙ୍କ ଅଜ୍ଞାତ ପାଇଁ ସେମାନଙ୍କୁ କ୍ଷମା ଦିଆ ଯାଇପାରିବ କିନ୍ତୁ ଏହି ଯୁଗର ମନୁଷ୍ୟ ଯେଉଁମାନେ କି ବିଜ୍ଞାନ ବଳରେ ଏତେ ଉନ୍ନତ ସେମାନେ ଏପରି ଭ୍ରମର ଶିକାର ହେବା ଯଥାର୍ଥ କି? ପୁଣି ଏଥିପାଇଁ ଜ୍ୟୋତିଷ ବା ମନ୍ଦିରକୁ ଯାଇ ପ୍ରଳୟରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିବା କି ପ୍ରକାର ବିଚାର? ପୁଣି ଏ ପ୍ରକାର ଭୟଙ୍କର ପରିସ୍ଥିତିରୁ ସେ ଏକୁଟିଆ ରକ୍ଷା ପାଇଯିବ ବୋଲି କିପରି ଭାବୁଛି? ସବୁଠାରୁ କୌତୁହଳପ୍ରଦ ଘଟଣା ହେଉଛି ଏହି ବ୍ୟକ୍ତିମାନେ ବିଜ୍ଞାନର ଏପରି ଆଗତ ଜୟ ଯାତ୍ରା ସମ୍ପର୍କରେ କେବେ କିଛି କହି ନାହାଁନ୍ତି କି ଆଲୋଚନା କରି ନାହାଁନ୍ତି । ଏହି ସମୟ ଏବଂ ଏହି ଅବଧିରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠରେ ପଦାର୍ପଣ କରିବ ବୋଲି କେହି କେବେ ଭବିଷ୍ୟବାଣୀ କରିଥିଲେ କି? ଦଶ ବର୍ଷ ବୟସରୁ ମୁଁ ଏପରି ଆଗତ ଭବିଷ୍ୟତବାଣୀର କାହାଣୀମାନ ଶୁଣି ଆସୁଛି । ଲୋକେ ଏଥି ପାଇଁ କିପରି ଭୟଭୀତ ହୋଇ ଜ୍ୟୋତିର୍ବିଦ୍ଙ୍କ ଠାରୁ ମନ୍ଦିର ଯାଏଁ ଦଉଡନ୍ତି, ଯଜ୍ଞ ଆଦି କରନ୍ତି,ଏସବୁ ଦେଖିଛି । କିଛି ବ୍ୟକ୍ତି ଦିବ୍ୟାତ୍ମାମାନଙ୍କର ବାଣୀରେ ବିଶ୍ୱାସ କରିବା ପରିବର୍ତେ ଏପରି କିଛି ଲୋକଙ୍କ ଭବିଷ୍ୟବାଣୀକୁ ସତ ବୋଲି ଧରିନିଅନ୍ତି । ଫଳରେ ସମସ୍ୟାର ସମାଧାନ କରିବା ବଦଳରେ ଏହା ଅଯଥା ଆତଙ୍କ ଏବଂ ଭୟର କାରଣ ସୃଷ୍ଟି କରେ । ଭଗବାନ କିମ୍ବା ସଦ୍ ଗୁରୁଙ୍କର ଜଣେ ପ୍ରକୃତ ଭକ୍ତ ଏପରି ଭବିଷ୍ୟବାଣୀରୁ ଦୂରରେ ରହିବା ଉଚିତ୍ । ସର୍ବୋପରି ଇଶ୍ୱର ଏବଂ ସଦ୍ ଗୁରୁ ଆମର ସାମାନ୍ୟ ରକ୍ଷା ପାଇଁ ସବୁପ୍ରକାର ଯତ୍ନ ନେବାକୁ ରହିଛନ୍ତି । କେତେବେଳେ ବି ଆମ ମନରେ ଏପରି ଦ୍ୱନ୍ଦ ଉପୁଜିଲେ ଆମେ ପ୍ରକୃତ ସତ୍ୟ ଜଣାଇବା ପାଇଁ ଆମର ସଦ୍ ଗୁରୁ ରୂପୀ ଈଶ୍ୱରଙ୍କୁ ପ୍ରାର୍ଥନା କରି ପାରିବା ।
                 ଓଁ ଶ୍ରୀ ଶ୍ରୀ ଅନନ୍ତକୋଟି ବ୍ରହ୍ମାଣ୍ଡନାୟକ ରାଜାଧି ରାଜ ଯୋଗିରାଜ ପରଂବ୍ରହ୍ମ ।
                          ଶ୍ରୀ ଶ୍ରୀ ସଚ୍ଚିଦ୍ଦାନନ୍ଦ ସଦ୍ ଗୁରୁ ସାଇନାଥ ମହାରାଜ କୀ ଜୟ” । । 
                          କରୁଣାର ସାଗର ଶ୍ରୀ ସାଇନାଥ ଆପଣମାନଙ୍କୁ  କୃପା କରନ୍ତୁ  ।
                             ଆପଣମାନଙ୍କ ଉପରେ  ସଦା ଆଶିର୍ବାଦ ରଖିଥା'ନ୍ତୁ  । । 
                                   ଜୟ ଶ୍ରୀ ସାଇନାଥ ମହାରାଜ କୀ ଜୟ । ।

15 October 2017

ଶ୍ରୀ ସାଇଙ୍କ ପାଖରେ ଭକ୍ତର ଅଳି



ବୈଶାଖି ମହାନ୍ତି 
ଆମ ଚାରିପଟେ ଏମିତି କିଛି ଅନେକ ଜିନିଷ ଅଛି,ଯାହାକୁ ଆମେ ଦେଖି ନ ପାରିଲେ ମଧ୍ୟ ଅନୁଭବ କରିଥାଉ । ଯେମିତି,ପବନ,ଏହାକୁ ଆମେ ଦେଖି ପାରୁନେ ତଥାପି ପବନକୁ ଆମେ ଅନୁଭବ କରୁ ଆଉ ପବନ ବିନା ଆମେ ବଂଚି ପାରୁନେ । ସେମିତି ଭଗବାନ । ଛୋଟ ବେଳୁ ଆଜି ଯାଏଁ କେବେ ବି ନିଜ ଆଖିରେ ଭଗବାନଙ୍କୁ ଦେଖିନି । ତଥାପି ମୋ ମା' କୁହେ ଯଦି ଭଗବାନ ନ ଥାନ୍ତେ ଦିନ,ରାତି ହୁଅନ୍ତାନି । ବେଳେ ବେଳେ ତ ମାନିନିଏ ପୁଣି ଆଉ କେତେବେଳେ ଭାବେ ସୂର୍ଯ୍ୟ,ଚନ୍ଦ୍ର ପାଇଁ ଦିନରାତି ହେଉଛି ପୁଣି ଏଥିରେ ଭଗବାନ ଙ୍କ କ'ଣ ହାତ ଅଛି ? ଯାହାବି ହେଉ, ମନରେ ଅନେକ ପ୍ରଶ୍ନ ଆସିଲେ ବି ମୁଁ ଛୋଟ ବେଳୁ ଭଗବାନଙ୍କୁ ବହୁତ ମାନିଛି । ଆଉ ସାଇବାବାଙ୍କୁ ମୁଁ ବହୁତ ଭକ୍ତି କରେ । ଜୀବନରେ ଆଜିଯାଏଁ  କ'ଣ ଠିକ୍. କ'ଣ ଭୁଲ କରିଛି ଜାଣିନି କିନ୍ତୁ ମୁଁ ମୋ ସବୁ ଭଲ ମନ୍ଦ ସେ ଅଦୃଶ୍ୟ କର୍ତା ସାଇଙ୍କ ଉପରେ ଛାଡିଦେଇଛି । ମୋର ବାପା,ମା'' ତ ମୋ ପାଖରେ ସବୁବେଳେ ଅଛନ୍ତି । ତା'ପରେ ମୁଁ ଛୁଆବେଳୁ ହିଁ ସାଇବାବା/ମା' ତାରିଣୀଙ୍କୁ ମୋ ବାପା ମାଆ ବୋଲି  ମାନିନେଇଛି । ଜାଣିନି କାହିଁକି ସବୁବେଳେ ମୋ ଜୀବନରେ କିଛି ନା କିଛି ସମସ୍ୟା ଅଛି ଆସେ । କିନ୍ତୁ ସାଇବାବା,ମା ତାରିଣୀ ମୋ ସବୁ ସମସ୍ୟା ଦୂରେଇ ଦିଅନ୍ତି । ସାଇବାବା ତ ସବୁବେଳେ ମୋ ପାଖରେ ଅଛନ୍ତି ।  ତଙ୍କ ଫଟୋ ଦେଖିଦେଲେ ମତେ ବହୁତ ଖୁସିଲାଗେ । ଜାଣିନି ସତରେ ସେ ଅଛନ୍ତି କି ନାହାଁନ୍ତି ? ହେଲେ  ମୋ ସମସ୍ୟାରେ ପଡିଲେ ତାଙ୍କୁ ଡାକିଲେ ସବୁ ସମସ୍ୟା ଦୂରେଇଯାଏ । 
                       ସବୁବେଳେ  ମୋ ମା'ଙ୍କ ଠାରୁ ସାଇବାବାଙ୍କ ବିଷୟରେ ପଚାରି ବୁଝେ ସତରେ କ'ଣ ସେ ଅଛନ୍ତି ? ସମସ୍ତେ କୁହନ୍ତି ସାଇବାବା ସମସ୍ତଙ୍କ ଦୁଃଖ ଶୁଣନ୍ତି । ମୋ ମା'ବି ସାଇଙ୍କର ଭକ୍ତଟିଏ । ମୋ ମନରେ ସାଇଙ୍କ ପ୍ରତି ବିଶ୍ୱାସ, ଭକ୍ତି ଅଛି । ସେ ସବୁବେଳେ ମୋ ସାଥିରେ ଅଛନ୍ତି । ମୋତେ ଭଲ ମନ୍ଦ ବାଟ ଦେଖାନ୍ତି । ବେଳେବେଳେ ରାଗିଗଲେ ଭାବେ ଭଗବାନ ନାହାଁନ୍ତି  ଥିଲେ ମୁଁ ଦୁଃଖ ସହି ନ ଥାନ୍ତି । ହେଲେ ମୋ ଦୁଃଖ କ'ଣ ମୋଠୁ କେତେ ଦୁଃଖି ଏ ସଂସାରରେ ଅଛନ୍ତି,ତାଙ୍କ ଉପରେ ଭଗବାନଙ୍କ କୃପା ଅଛି । ଜାଣିନି ସାଇ ଈଶ୍ୱର ମୋର ବେଳେବେଳେ କାହିଁକି ପରୀକ୍ଷା ନିଅନ୍ତି । କିନ୍ତୁ  ମୁଁ ଜାଣିଛି ସେ ନିଜ ଝିଅକୁ କେବେ ବି ବିପଦରେ ପକାଇବେନି ବରଂ କିଛି ଭଲ ଉଦ୍ଦେଶ୍ୟ ପାଇଁ ଏଭଳି କରନ୍ତି । ମନରେ ତ ବହୁତ ପ୍ରଶ୍ନ ଅଛି ଭାବେ ଯଦି ସାଇ ମତେ ଦର୍ଶନ ଦିଅନ୍ତେ, ମୁଁ ସବୁ ଉତର ପାଇଯା'ନ୍ତି ହେଲେ ମୁଁ ଜାଣିନି ମୁଁ ସେତିକି ଭକ୍ତି କରୁଛି କି ନାହିଁ ? ବାବା ତ ଚାହାନ୍ତି ତାଙ୍କ ଭକ୍ତ ସତ୍ୟ,ଧର୍ମରେ ରୁହନ୍ତୁ, କିନ୍ତୁ ମଣିଷମାତ୍ରେ ତ ଭୁଲ କେବେ ନା କେବେ ମୁୁଁ କରିଥିବି, କେବେନା କେବେ କାହା ପ୍ରତି ଈର୍ଷା,ଘୃଣା କରିଥିବି ସେଥିପାଇଁ ବାବାଙ୍କୁ ସବୁବେଳେ ଭୁଲ ମାଗେ । ସବୁବେଳେ ବାବାଙ୍କୁ ଏତିକି ମାଗେ ମୋର ଧନ,ସମ୍ପତି କିଛି ଲୋଡା ନାହିଁ ଖାଲି ଯେମିତି ମୁଁ ମୋ ଜୀବନରେ କିଛି ଉନ୍ନତି କରିବି ଗୋଟେ ଭଲ ମଣିଷଟିଏ ହେବି ବାପା ମା'ଙ୍କ ମନରେ ଯେମିତି ଦୁଃଖ ନ ଦେବି, କାହା ପ୍ରତି ଯେମିତି ଈର୍ଷା ନ କରିବି ବାବା ସେଥିପାଇଁ ସବୁବେଳେ ମୋତେ ଭଲ ବାଟ ଦେଖାନ୍ତୁ ଓ ସବୁବେଳେ ମୋ ଉପରେ ତାଙ୍କ କୃପା ଦୃଷ୍ଟି ରଖିଥାନ୍ତୁ । ବାବା ମୋତେ ଯାହା ଦେଇଛନ୍ତି ମୁଁ ସେଥିରେ ସନ୍ତୁଷ୍ଟ, ମୁ ଚାହେଁ ଦୟାର ସାଗର, କୃପାର ଭଣ୍ଡାର ମୋ ସାଇ ଈଶ୍ୱର ମୋତେ ତାଙ୍କ ପାଦ ତଳେ ଆଶ୍ରା ଦିଅନ୍ତୁ । ମୋ ଜୀବନରେ ଯମେିତି କେବେ କିଛି ସମସ୍ୟା ନ ଆସୁ, ଯଦି ବି କେବେ କିଛି ସମସ୍ୟା ଆସେ ଶ୍ରୀ ସାଇ ମୋତେ ତାର ସମାଧାନ ପାଇଁ ସବୁବେଳେ ରାସ୍ତା ଦେଖାଉଥାନ୍ତୁ । ସବୁବେଳେ ସାଇଙ୍କ ପାଦରେ ମୋର ଭକ୍ତି ଥାଉ । ସବୁବେଳେ ବାବାସାଇନାଥ ମୋ ଉପରେ ତାଙ୍କ କରୁଣାର ହାତ ଓ କୃପା ଦୃଷ୍ଟି ରଖିଥାନ୍ତୁ ମୋର ଆଉ କିଛି ଲୋଡା ନାହିଁ............................... ଓଁ ସାଇରାମ ।
ବ୍ରାହ୍ମଣ ସାଇଲୋ, କଟକ